ପାନ ଦୋକାନୀଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗାଁ ଛକରେ ପାନ ଦୋକାନ କରିଥିବା ରୁଦ୍ର ପ୍ରଧାନ ଏବଂ ତାଙ୍କ ବାପା ସଞ୍ଜୟ ପ୍ରଧାନଙ୍କୁ ଛୁରିରେ ଭୁଷି ହତ୍ୟା ଉଦ୍ୟମ କରିଥିବା ଚୁଡୁଙ୍ଗପୁର ଗ୍ରାମର ବି. କୃଷ୍ଣ ପାତ୍ର ଓରଫ ଗୋପୀ(୨୮) ଏବଂ ବି. ଉମା ପାତ୍ରଙ୍କୁ ସୋମବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୨୬୯/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା – ୩୨୯(୪)/୨୯୬/୧୧୫/୧୧୮(୧)/୧୧୭(୨)/୧୦୯/୩୦୩(୨)/୩୫୧(୨)/୩(୫) ଅନୁଯାୟୀ, ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଗତ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟାରେ ରୁଦ୍ର ତାଙ୍କ ପାନ ଦୋକାନରେ ବସିଥିବା ବେଳେ ବାଇକ ଯୋଗେ ଅଭିଯୁକ୍ତ ଦ୍ବୟ ଏବଂ ଅନ୍ୟ ଜଣେ ଅଚିହ୍ନା ଯୁବକ ଆସି ତାଙ୍କୁ କୋଲ୍ଡ ଡ୍ରିଙ୍କସ ମାଗିଥିଲେ। ରୁଦ୍ର ୯୦ ଟଙ୍କା ମାଗିବାରୁ ଗୋପୀ ତାଙ୍କୁ ୭୦ ଟଙ୍କା ଦେଇଥିଲେ। ବଳକା ଟଙ୍କା ମାଗିବାରୁ ସେ ତାଙ୍କୁ ଗାଳି କରିଥିଲେ। ଅନ୍ୟ ଜଣେ ଯୁବକ ତାଙ୍କୁ ପିସ୍ତଲ ଦେଖାଇ ମାରିଦେବାକୁ ଧମକ ଦେଇଥିଲେ। ପରେ ଗୋପୀ ତାଙ୍କୁ ଏକ ଛୁରିରେ ଆକ୍ରମଣ କରିବାରୁ ତାଙ୍କ ଡ଼ାହାଣ ହାତ ଆଙ୍ଗୁଠି କଟି ରକ୍ତ ବାହାରିଥିଲା। ରୁଦ୍ର ତାଙ୍କ ବାପାଙ୍କୁ ଡାକିବାରୁ ସେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଗୋପୀ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରି ଛୁରିରେ ହତ୍ୟା ଉଦ୍ୟମ କରି ତାଙ୍କ ଡ଼ାହାଣ ହାତ କଚିକୁ ଭୁଷି ଦେବା ସହ ତାଙ୍କ ବେକରୁ ସୁନା ଚେନ ଏବଂ ୨ଟି ମୋବାଇଲ ଫୋନ ଛଡାଇ ନେଇ ବାଇକରେ ପଳାଇଯାଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି। ରୁଦ୍ରଙ୍କ ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତମାନଙ୍କ ନାଁରେ ମକଦ୍ଦମା ରୁଜୁ କରିଥିଲେ।

 

Dharitri – Odisha’s No.1 Odia Daily

 

Share