ପରଷ୍ପରଙ୍କୁ ହତ୍ୟା ଉଦ୍ୟମ: ଜେଲ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୨।୧୧(ଅଶେଷ ନାଥ ମିଶ୍ର): ପରଷ୍ପରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କେ.ନୂଆଗାଁ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡ଼ପଦା ଗ୍ରାମର ସୀମାଞ୍ଚଳ ଦଳାଇ(୨୮), ଅଭି ଦଳାଇ(୬୨) ଏବଂ ବାଇଗଣ ବାଡ଼ିପଲ୍ଲୀ ଗ୍ରାମର କାହ୍ନୁଚରଣ ଦଳାଇ(୩୧)ଙ୍କୁ ଗିରଫ କରିଛି।

କେ.ନୂଆଗାଁ ଆଇଆଇସି ବିଶ୍ୱଜିତ ନାୟକ ଘଟଣାର ତଦନ୍ତ କରି ଗିରଫ ଅଭିଯୁକ୍ତମାନଙ୍କୁ ଗୁରୁବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିଲେ। ଥାନା ମାମଲା ନଂ.୩୨୦/୨୬ ଏବଂ ୩୨୧/୨୬ ଅନୁଯାୟୀ ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ କହିଛି।

ବୁଧବାର ସକାଳ ପ୍ରାୟ ୯ ଟାରେ ବଡ଼ପଦା ଗ୍ରାମର ସୀମାଞ୍ଚଳ ଦଳାଇ ଏବଂ ସନ୍ତୋଷ ଦଳାଇ ଗାଁ ମଣ୍ଡପରେ ବସିଥିବା ବେଳେ ବ୍ୟକ୍ତିଗତ ଶତ୍ରୁତାକୁ କେନ୍ଦ୍ରକରି ଅଭି ଦଳାଇ ହାତରେ ଠେଙ୍ଗା ଧରି ସୀମାଞ୍ଚଳଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଳଜ କରିଥିଲେ। ସୀମାଞ୍ଚଳ ଏହାର ପ୍ରତିବାଦ କରିଥିଲେ। ହେଲେ ଉଭୟଙ୍କ ମଧ୍ୟରେ ମାରପିଟ୍‌ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏଥିରେ ଅଭି ଉତ୍‌କ୍ଷିପ୍ତ ହୋଇ ଜୀବନରେ ମାରିଦେବାକୁ କହି ଠେଙ୍ଗାରେ ସୀମାଞ୍ଚଳଙ୍କୁ ଆକ୍ରମଣ କରିଥିଲେ। ଫଳରେ ସୀମାଞ୍ଚଳଙ୍କ ମୁଣ୍ଡ ଫାଟି ଯାଇଥିଲା। ଅନ୍ୟପକ୍ଷେ କାହ୍ନୁ ତାଙ୍କୁ ତଳେ ପକାଇ ଆକ୍ରମଣ କରିଥିଲେ। ସମ୍ପର୍କୀୟ ଲୋକେ ସୀମାଞ୍ଚଳଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସୀମାଞ୍ଚଳ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ।

ଏତଲାକୁ ଭିତ୍ତିକରି ପୋଲିସ ଅଭିଯୁକ୍ତମାନଙ୍କ ନାଁରେ ମାମଲା ରୁଜୁ କରିଥିଲା। ସେହିପରି ଘଟଣା ଦିନ ବାଇଗଣବାଡ଼ି ପଲ୍ଲୀ ଗ୍ରାମର କାହ୍ନୁ ଅଭିଙ୍କ ଘରକୁ କାମ କରିବାକୁ ଆସିଥିଲେ। ସକାଳ ପ୍ରାୟ ୧୦ଟାରେ ସେ ଘରକୁ ଫେରୁଥିବା ବେଳେ ଶଙ୍କର ଦଳାଇ ଏବଂ ସୀମାଞ୍ଚଳ ଦଳାଇ ତାଙ୍କୁ ରାସ୍ତାରେ ଅଟକାଇ ମାଡ଼ ମାରିଥିଲେ। ଅଭି ସେଠାକୁ ଯାଇ ଛଡ଼ାଇବାରୁ ଉଭୟେ ଅଭିଙ୍କୁ ନିସ୍ତୁକ ମାଡ଼ ମାରି ତଳେ ପକାଇ ଦେଇଥିଲେ।

ପରିବାର ଲୋକେ ଏବଂ ସମ୍ପର୍କୀୟ ତୋଫାନ ନାମକ ଜଣେ ବ୍ୟକ୍ତି ଦୌଡି ଆସି ଅଭିଙ୍କୁ ଉଦ୍ଧାର କରିଥିଲେ। ସେତିକିବେଳେ ସୀମାଞ୍ଚଳ ଏକ ଠେଙ୍ଗାରେ ଆକ୍ରମଣ କରି ତୋଫାନଙ୍କ ମୁଣ୍ଡ ଫଟାଇ ଦେଇଥିଲେ। ତୋଫାନଙ୍କୁ ଗୁରୁତର ଅବସ୍ଥାରେ ବମୋକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏନେଇ ଅଭି କେ.ନୂଆଗାଁ ଥାନାରେ ପହଞ୍ଚି ଏତଲା ଦେଇଥିଲେ। ପୋଲିସ ଅଭିଯୁକ୍ତମାନଙ୍କ ନାଁରେ ପୃଥକ ମାମଲା ରୁଜୁ କରଥିଲ। ତଦନ୍ତକାରୀ ଅଧିକାରୀ ଆଇଆଇସି ଗୁରୁବାର ଭୋର ପ୍ରାୟ ସାଢେ ୫ ଟାରେ ଚଢାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ। ପୋଲିସ ଅଭିଯୁକ୍ତଙ୍କଠାରୁ ଆକ୍ରମଣରେ ବ୍ୟବହୃତ ଠେଙ୍ଗା ଜବତ କରିଛି।

Share