ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପାଟପୁର ପୋଲିସ ଶୁକ୍ରବାର ଅଭିଯୁକ୍ତ ଶିବରାମଙ୍କୁ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୁ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୨୩୬/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଶିବରାମ ଗାଁ ର ଶ୍ରୀ କପିଳେଶ୍ୱର ମହାଦେବ ମନ୍ଦିରରେ ବୁଧବାର ତାଙ୍କ ଜନ୍ମଦିନ ପାଳନ କରି ଭୋଜି କରିଥିଲେ। ମନ୍ଦିରରେ ଭୋଜି ପରେ ଅଳିଆ ଆବର୍ଜନା ସଫା କରିନଥିଲେ। ଏନେଇ ବିଦେଶୀ ଗୁରୁବାର ଦିନ ଶିବରାମଙ୍କ ଜଣେ ସାଙ୍ଗକୁ ଡାକି ଭୋଜି ଖାଇଲ ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି ଚାପୁଡ଼ା ମାରିଥିଲେ। ସାଙ୍ଗ ଜଣକ ସେଠାରୁ ଯାଇ ଶିବରାମଙ୍କୁ ଘଟଣା କହିଥିଲେ। ବିଦେଶୀ ଗୁରୁବାର ରାତି ପ୍ରାୟ ୮ ଟାରେ ଗାଁ ମନ୍ଦିର ରେ ବସି ଭାଗବତ ପରାୟଣ ଶୁଣୁଥିବା ବେଳେ ଶିବରାମ ସେଠାରେ ପହଞ୍ଚି ଆପତ୍ତିଜନକ ଭାଷା ରେ ଗାଳି କରିବା ସହ ଏକ ଠେଙ୍ଗା ରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଠେଙ୍ଗା ମାଡ଼ ରେ ବିଦେଶୀ ଙ୍କ ମୁଣ୍ଡ ଫଟିବା ସହ ବାମ ହାତ ଭାଙ୍ଗି ଯାଇଥିଲା।ତାଙ୍କୁ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଚିକିତ୍ସା ହୋଇ ଫେରିବା ପରେ ଏନେଇ ସେ ପାଟପୁର ଥାନାରେ ଏତଲା ଦେଇଥିଲେ ।ଏତଲାକୁ ଭିତ୍ତିକରି ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ଏସ.ଆଇ ତ୍ରିନାଥ ଭୋଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।ଶିବରାମ ଙ୍କ ନିକଟରୁ ହତ୍ୟା ଉଦ୍ୟମରେ ବ୍ୟବହୃତ ଠେଙ୍ଗାକୁ ଜବତ କରାଯାଇଛି।