ଯୁବକଙ୍କୁ ଅପହରଣ, ହତ୍ୟା ଉଦ୍ୟମ ମାମଲା: ବାଲେଶ୍ୱର ଜେଲରେ ସକିଲ, କଟକରେ ରାଜୁତି

କଟକ ଅଫିସ,୯ା୧୦: କଟକ ମଧୁପାଟଣା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗୁରୁବାର ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଜଗତ୍‌ସିଂହପୁରର ବଣ୍ଟି ଓରଫ ଶିବପ୍ରସାଦ ଖଟୁଆ ଓ କାଜିଡ଼ିହ ଅଞ୍ଚଳର ମୁନା ଓରଫ କପିଳ ଦାସ। ଏମାନଙ୍କ ନିକଟରୁ ଦେଶୀ ବନ୍ଧୁକ ଜବତ ହୋଇଛି। ବଣ୍ଟିଙ୍କ ନାମରେ କଟକର ବିଭିନ୍ନ ଥାନାରେ ମାମଲା ରହିଛି। ଏହି ଘଟଣାରେ ଗ୍ୟାଙ୍ଗଷ୍ଟର ସକିଲ ଅହମ୍ମଦର ସମ୍ପୃକ୍ତି ରହିଥିବା ବେଳେ ଫେରାର ୨ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି। ବାଲେଶ୍ୱର ଜେଲରେ ଥାଇ ମଧ୍ୟ ସକିଲ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି କଟକରେ ବିଭିନ୍ନ ଅପରାଧ ଘଟାଇ ଚାଲିଛି।
ପୋଲିସ ସୂଚନା ଅନୁଯାୟୀ, ରାଜେନ୍ଦ୍ରନଗର ଅଞ୍ଚଳର ବିଶ୍ୱଜିତ୍‌ ଲେଙ୍କା ଏକ ମୋମୋ ଦୋକାନରେ କାମ କରନ୍ତି। ଉକ୍ତ ଦୋକାନର ମାଲିକ ବାବୁ ଓରଫ ଅଭିଷେକ ସାହୁ ସକିଲଙ୍କ ପୂର୍ବତନ ସହଯୋଗୀ ଥିଲେ। ବିଭିନ୍ନ ଆପରାଧିକ ମାମଲାରେ ଜେଲ ଯାଇ ଫେରିବା ପରେ ସେ ଦୋକାନ କରିଥିଲେ। ପୁଣି ଥରେ ବାବୁଙ୍କୁ ଗ୍ୟାଙ୍ଗରେ ମିଶିବାକୁ ସକିଲଙ୍କ ନିର୍ଦ୍ଦେଶ ରହିଥିଲା। ହେଲେ ସେ ମନା କରିବାରୁ କେତେଜଣ ଯୁବକ ତାଙ୍କ ଦୋକାନରେ ପହଞ୍ଚି ଭଙ୍ଗାରୁଜା କରିବା ସହ ଅଭିଜିତ୍‌ଙ୍କୁ ଅପହରଣ କରି ନେଇଥିଲେ। ଏହା ସହ ଟ୍ରେନ ଲାଇନ ପାର୍ଶ୍ୱରେ ତାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିଲେ। ଏନେଇ ବିଶ୍ୱଜିତ୍‌ ଗତ ୩ତାରିଖରେ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୧୫୬/୨୦) ରୁଜୁକରି ତଦନ୍ତ ଚଳାଇଥିଲା। ଏ ସମ୍ପର୍କରେ ଡିସିପି ସିଂ କହିଛନ୍ତି, ସକିଲଙ୍କ ଗତିବିଧି ଉପରେ ସମ୍ପୂର୍ଣ୍ଣ ନଜର ରଖିବାକୁ ଜେଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ତଥାପି ସେ ଆପରାଧିକ ଯୋଜନା କିପରି କରୁଛନ୍ତି ତାହା ଚକିତ କରୁଛି। ଗୋଟିଏ ଜେଲରୁ ଅନ୍ୟଏକ ଜେଲକୁ ସ୍ଥାନାନ୍ତର କରିବା ପରେ ମଧ୍ୟ ସେ ଯୋଜନାରେ ସଫଳ ହେଉଛି। ଜେଲରେ ତାଙ୍କୁ କେହି ବ୍ୟକ୍ତି ଭେଟିବା ସମୟରେ ଯୋଜନାକୁ ସେ କାର୍ଯ୍ୟକାରୀ କରୁଛନ୍ତି ବୋଲି ସେ କହିଛନ୍ତି।

Share