ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଦିଗପହଣ୍ଡି ଥାନା ଅତିରିକ୍ତ ଆଇଆଇସି କୃଷ୍ଣମୟୀ ବରାଳ ଅଭିଯୁକ୍ତ ରାଜୀବଙ୍କୁ ଗିରଫ କରି ରବିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି। ତାଙ୍କ ନିକଟରୁ ଗୋଟିଏ ଖଣ୍ଡା ଓ ହତ୍ୟା ଉଦ୍ୟମରେ ବ୍ୟବହୃତ ବ୍ଲେଡ଼ ଜବତ କରାଯାଇଛି।
ଥାନା ମାମଲା ନଂ.୩୯୯/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି । ଶନିବାର ରାତି ପ୍ରାୟ ୮ ଟାରେ ଚୈତନ୍ୟପୂର ଗ୍ରାମର କେ. ଦେବରାଜ ରେଡ୍ଡୀ ପଦ୍ମନାଭପୁର – ଭୀମପୁର ରାସ୍ତାର ଶ୍ରୀ ହନୁମାନ ଛକରେ ଥିବା ଦେଶୀ ମଦ ଦୋକାନକୁ ମଦ ପିଇବାକୁ ଯାଇଥିବା ବେଳେ ଅଭିଯୁକ୍ତ ରାଜୀବ କୌଣସି କରଣକୁ ନେଇ ଅନ୍ୟ ଜଣେ ଯୁବକଙ୍କ ସହ ଝଗଡା କରୁଥିଲେ। ଦେବରାଜ ଗଣ୍ଡଗୋଳ ଛଡାଇବା ସହ ରାଜୀବଙ୍କୁ ତାଗିଦ କରିବାରୁ ରାଜୀବ ତାଙ୍କୁ ମାଡ଼ ମାରି ତଳେ ପକାଇ ଦେବା ସହ ଏକ ବ୍ଲେଡରେ ତାଙ୍କ ତଣ୍ଟିକୁ କାଟି ଦୌଡ଼ି ପଳାଇଥିଲେ।
ସେଠାରେ ଉପସ୍ଥିତ ଥିବା ଦେବଙ୍କ ସାଙ୍ଗ ପି. ପୀତାମ୍ବର ରେଡ୍ଡୀ ଅନ୍ୟ କିଛି ଲୋକଙ୍କ ସହାୟତାରେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ଦେବରାଜଙ୍କ ସ୍ତ୍ରୀ କେ.ନମିତା ରେଡ୍ଡୀ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ । ପଦ୍ମନାଭପୁର – ଭୀମପୁର ଶାସନ ଶ୍ରୀ ହନୁମାନ ଛକରେ ଥିବା ପ୍ରାୟ ୫ ଟି ଦୋକାନରେ ବିନା ଲାଇସେନ୍ସରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି।ପ୍ରତିଦିନ ସନ୍ଧ୍ୟାରେ ଉକ୍ତ ଛକରେ ମଦ୍ୟପଙ୍କ ଭିଡ଼ ହେଉଛି।
ନିଶାସକ୍ତ ଅବସ୍ଥାରେ ନିଶାଡିମାନେ ରାସ୍ତାରେ ଯା ଆସ କରୁଥିବା ବାଟୋଇ ମାନଙ୍କୁ ଅଯଥାରେ ଗାଳି କରୁଛନ୍ତି । ପ୍ରତିବାଦ କଲେ ଟଣା ଓଟରା କରିବା ସହ ମାଡ଼ ମାରୁଥିବା ଅଭିଯୋଗ ହେଉଛି । ସନ୍ଧ୍ୟା ହେଲେ ଉକ୍ତ ରାସ୍ତା ଦେଇ ଝିଅ – ବୋହୂ ମାନେ ଚଳ ପ୍ରଚଳ ହେବାକୁ ନିରାପଦ ମନେ କରୁନଥିବା ଅଭିଯୋଗ ହୋଇଛି ।