ଦିଗପହଣ୍ଡି,୧୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଶ୍ରୀଚନ୍ଦନପୁର ଗ୍ରାମର ବିରୁପାକ୍ଷ ମହାପାତ୍ରଙ୍କୁ ଗ୍ରାମର ହିନ ଗଉଡ଼(୫୦) ଶନିବାର ଅପରାହ୍ନରେ ଏକ ଠେଙ୍ଗାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲେ। ଏନେଇ ବିରୁପାକ୍ଷ ପାଟପୁର ଥାନାରେ ଏକ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୩୬୪/୨୬) ରୁଜୁ କରିଥିଲା।
ତଦନ୍ତକାରୀ ଅଧିକାରୀ ଏସ୍ଆଇ ତ୍ରିନାଥ ଭୋଇ ମାମଲାର ତଦନ୍ତ କରି ରବିବାର ଅଭିଯୁକ୍ତଙ୍କୁ ଗିରଫ କରି ସାରେ ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟକୁ ଚାଲାଣ କରିଥିଲେ। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଅଭିଯୁକ୍ତ ହିନ ଶନିବାର ଅପରାହ୍ନରେ ବିରୁପାକ୍ଷଙ୍କ ଜମିରୁ ଛେଳି ଖାଇବା ପାଇଁ ଗଛରୁ ଡାଳ ହାଣୁଥିବା ବେଳେ ବିରୁପାକ୍ଷ ସେଠାରେ ପହଞ୍ଚି ତାଙ୍କ ଗଛରୁ ଡାଳ ହାଣିବାକୁ ମନା କରିଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ହିନ ଉତ୍ତେଜିତ ହୋଇ ବିରୁପାକ୍ଷଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ଠେଙ୍ଗା ଜବତ କରାଯାଇଛି।