ବୃଦ୍ଧ ଦମ୍ପତିଙ୍କୁ ନିଶା ଦେଇ ଲୁଟ୍‌ ଉଦ୍ୟମ

ହିଞ୍ଜିଳିକାଟୁ ୧।୧୨ ( ଡିଏନଏ): ବୃଦ୍ଧ ଦମ୍ପତିଙ୍କୁ ନିଶା ଦେଇ ଲୁଟ୍‌ ଉଦ୍ୟମ। ଗୁରୁବାର ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବସ୍‌ଷ୍ଟାଣ୍ଡରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ଅପରିଚିତ ବ୍ୟକ୍ତି କୌଶଳରେ ନିଶା ଦେଇ ଲୁଟ ଉଦ୍ୟମ କରୁଥିବା ସମୟରେ ବୃଦ୍ଧ ଦମ୍ପତିଙ୍କ ଗ୍ରାମର ଜଣେ ଦେଖିବା ପରେ ଲୁଟେରା ଜଣଙ୍କ ଆଖି ପିଛୁଳାକେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ପ୍ରକାଶ ଯେ, କୁରୁଳା ଗ୍ରାମର କୁରେଶ ପାତ୍ର ( ୭୦)ତାଙ୍କ ସ୍ତ୍ରୀ ଜାନେମା ପାତ୍ର( ୬୫) ଗୁରୁବାର ହିଞ୍ଜିଳିକାଟୁ ବସ୍‌ଷ୍ଟାଣ୍ଡରେ ଶେରଗଡ଼ ବ୍ଳକ ଅନ୍ତର୍ଗତ କୁରୁଳା ଗ୍ରାମକୁ ଯିବା ନିମନ୍ତେ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ବୃଦ୍ଧ ଦମ୍ପତିଙ୍କୁ ଦେଖି ଜଣେ ବ୍ୟକ୍ତି ସେମାନଙ୍କ ସହ ଆତ୍ମୀୟ ଭଳି ବ୍ୟବହାର ଦେଖାଇ ବିଶ୍ବାସ ସୃଷ୍ଟି କରିଥିଲେ। ପରେ ୨ କପ୍‌ ଚା’ ଆଣି ବୃଦ୍ଧ ଦମ୍ପତିଙ୍କୁ ପିଇବାକୁ ଦେଇଥିଲେ। କୁରେଶ ଉକ୍ତ ଚା’ ପିଇ ନ ଥିବା ବେଳେ ତାଙ୍କ ସ୍ତ୍ରୀ ଜାନେମା ଚା’ ପିଇ ଦେଇ ବେହୋସ ହୋଇଯାଇଥିଲେ। ଏହାର ସୁଯୋଗ ନେଇ ଲୁଟେରା ଜଣଙ୍କ ବୃଦ୍ଧାଙ୍କ ବେକରୁ ୫ ତୋଳା ଓଜନର ଖାସୁ ମାଳି ନେବାକୁ ଉଦ୍ୟମ ଚଳାଇଥିଲେ। କିନ୍ତୁ ଏହି ସମୟରେ ବୃଦ୍ଧ ଦମ୍ପତିଙ୍କ ଗ୍ରାମର ଅନ୍ୟ ଜଣେ ମହିଳା ବୃଦ୍ଧାଙ୍କ ନିକଟରେ ଚାଦର ଘୋଡ଼ାଇ ସନ୍ଦେହରେ ଥିବା ବ୍ୟକ୍ତିଙ୍କୁ ଦେଖି ପାଟି କରିବାରୁ ସେ ଆଖି ପିଛୁଲାକେ ଘଟଣାସ୍ଥଳରୁ ପଳାଇଥିଲେ। ମହିଳାଙ୍କ ପାଟି ଶୁଣି ବସ୍‌ଷ୍ଟାଣ୍ଡରେ ଥିବା ଅନ୍ୟ ଯାତ୍ରୀମାନେ ସେଠାରେ ରୁଣ୍ଡ ହୋଇଥିଲେ। ବୃଦ୍ଧା ଜଣଙ୍କ ବେହୋସ ଭାବେ ପଡ଼ିଥିବା ବେଳେ ତାଙ୍କ ବେକରୁ କଟା ହୋଇଥିବା ଖାସୁ ମାଳି ବୃଦ୍ଧାଙ୍କ ଗୋଡ଼ ନିକଟରେ ଛିଣ୍ଡି ପଡ଼ିଥିଲା। ଗ୍ରାମର କିଛି ବ୍ୟକ୍ତି ଓ ତାଙ୍କ ସମ୍ପର୍କୀୟ ବୃଦ୍ଧ ଦମ୍ପତିଙ୍କୁ ଉଦ୍ଧାର କରି ଗାଡିରେ କୁରୁଳା ନେଇଥିବା ଜଣାପଡିଛି। ଉଭୟଙ୍କୁ ଗ୍ରାମରେ ଚିକିତ୍ସା କରାଯାଉଛି। ଏହି ଘଟଣା ପରେ ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ପରିସରରେ ସିସିଟିଭି କ୍ୟାମେରା ସହ ପୋଲିସ ପଇଁତରା କଡ଼ାକଡ଼ି ପାଇଁ ବ୍ୟବସାୟୀ ସଂଘର ସମ୍ପାଦକ ବିଶ୍ବମ୍ବର ସାହୁ ଓ ହିଞ୍ଜିଳିକାଟୁ ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଦାବି କରିଛନ୍ତି।