ତଦନ୍ତ ପୂର୍ବରୁ ଦୋଷ ଲୁଚାଇବାକୁ ଉଦ୍ୟମ

କେନ୍ଦୁଝର,୨୯ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ଯମୁନାପଶି ବିଟ୍‌ ଭାଲୁପାହାଡ଼ି ଲଣ୍ଡାପାହାଡ଼ରେ କାମ୍ପା ଅନୁଦାନରେ ହୋଇଥିବା ବନୀକରଣର ଯାଞ୍ଚ କରିବେ ବନ ବିଭାଗର ସମ୍ବଲପୁର ଭିଜିଲାନ୍ସ କମିଟି। ବନୀକରଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ପରେ ପିସିସିଫ୍‌ଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ଭିିଜିଲାନ୍ସ କମିଟି ଟିମ୍‌ ୨୯ ତାରିଖ ତଥା ମଙ୍ଗଳବାର କ୍ଷେତ୍ର ପରିଦର୍ଶନ କରିବ। ତଦନ୍ତ ଟିମ୍‌ ଆସିବା ପୂର୍ବରୁ ଦୋଷ ଲୁଚାଇବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହେଉଛି।
ପ୍ରକାଶ ଯେ, ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଭାଲୁପାହାଡ଼ିରେ ୨୦୨୦-୨୧ ରେ ୧୬ହଜାର ଚାରାରୋପଣ ହୋଇଥିଲା। ଲଣ୍ଡାପାହାଡ଼ର ପୁନରୁଦ୍ଧାର ପାଇଁ ୧୦ ହେକ୍ଟର ଜମିରେ ଜାମୁ, ଲିମ୍ବ, ଫେଣଫେଣା, କସି, ଅଁଳା, ବାହାଡ଼ା, ପଣସ, ତେନ୍ତୁଳି, ପିଆଶାଳ, ଶାଗୁଆନ, ଶିରିଶ, ଗମ୍ଭାରୀ, ଭାଲିଆ, ଅର୍ଜୁନ, କୃଷ୍ଣଚୁଡ଼ା, ବେଲ, ଶିଶୁ, ସିମାରୁଆ, ଆମ୍ବ, ପିଜୁଳି, କରଞ୍ଜ ହେକ୍ଟର ପିଛା ୧୬ ଶହ ମୋଟ ୧୬ ହଜାର ଗଛ ଲଗାଯାଇଥିଲା। କାମ୍ପା ଅନୁଦାନରେ ସରକାରଙ୍କ ପକ୍ଷରୁ ମୋଟ ୮ଲକ୍ଷ ୩୨ହଜାର ଟଙ୍କା ବିଲ୍‌ କରାଯାଇଥିଲା। ରକ୍ଷଣାବେକ୍ଷଣ ଅର୍ଥକୁ ମଧ୍ୟ ବିଲ୍‌ କରି ଚଳୁ କରି ଦେଇଥିବାବେଳେ ଅନାବନା ବୁଦା ଓ ପାଣି ଅଭାବରୁ ଅନେକ ଗଛ ମରି ଯାଇଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଗଛ ଚାରିପଟ ସଫେଇ ହେଉ ନ ଥିବା ବେଳେ କାର୍ଯ୍ୟାନୁଷ୍ଠାନ ଭୟରେ କିଛି ଦିନ ହେବ ବୁଦା ସଫେଇ ଚାଲିଛି। ପାଟଣା ରେଞ୍ଜର ଦାୟିତ୍ୱରେ ଥିବା ପ୍ରଭାତ କୁଅଁର କହିଛନ୍ତି, ୨ ଦିନ ଧରି ଉଚ୍ଚସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଗଛ ଗଣନା କରାଯିବ। ଗଣନା ପରେ ଅଭିଯୋଗର ସତ୍ୟାସତ୍ୟ ଜଣାପଡ଼ିବ।