ପୋଲିସ ଉପରକୁ ଗୁଳିମାଡ଼

ଦେବଗଡ଼,୧୩।୧୦(ଡି.ଏନ.ଏ): ଗଞ୍ଜେଇ ଚାଲାଣକାରୀଙ୍କୁ ପିଛା କରିବା ବେଳେ ଦେବଗଡ଼ ଜିଲା ରିଆମାଳ ପୋଲିସ ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ କୌଣସି ପୋଲିସ କର୍ମଚାରୀଙ୍କ କ୍ଷତି ହୋଇନାହିଁ। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲା ମନମୁଣ୍ଡା ଥାନାଞ୍ଚଳର ବିକାଶ ରାଜହଂସ(୨୩), ପୌଲସ୍ତି ଜଗଦଲା(୨୧) ଏବଂ ସମ୍ବଲପୁର ଜିଲା ଜମନକିରା ଥାନାଞ୍ଚଳର ରୂପେଶ ପ୍ରସାଦ(୩୧)। ସେମାନଙ୍କଠାରୁ ଏକ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ, ବାଇକ୍‌, କାର୍‌, ମାଉଜର ଓ ୭ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି। ଏ ନେଇ ମଙ୍ଗଳବାର ଦେବଗଡ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି।
ଏସ୍‌ପି ପାଇକରାୟ କହିଥିଲେ ଯେ, ବିକାଶ ଓ ପୌଲସ୍ତି ସମ୍ବଲପୁରରୁ ଏକ ବାଇକ୍‌ (ନଂ.ଓଡି୩୧ଏଚ୍‌/୦୧୮୬) ଯୋଗେ ବିପୁଳ ପରିମାଣର ଗଞ୍ଜେଇ ନେଇ ସୁନ୍ଦରଗଡ ଜିଲାକୁ ଯାଉଥିଲେ। ସେମାନଙ୍କ ପଛେ ପଛେ ଏକ କାର୍‌ (ନଂ.ଓଡି୧୫କ୍ୱୁ/୮୭୭୯) ସୁରକ୍ଷା ଦେଉଥିଲା। ଏ ନେଇ କୌଣସି ସୂତ୍ରରୁ ସୂଚନା ପାଇ ରିଆମାଳ ଥାନା ପୋଲିସ ସେମାନଙ୍କୁ ପିଛା କରି ରିଆମାଳ ଡଙ୍ଗାଘାଟଠାରେ ଅଟକାଇଥିଲା। ଯାଞ୍ଚ ସମୟରେ ଯୁବକ ଦ୍ୱୟଙ୍କ ନିକଟରୁ ପ୍ରାୟ ୧.୨୫ କୁଇଣ୍ଟାଲ ଗଞ୍ଜେଇ ବାହାରିଥିଲା। ଏହି ସମୟରେ ପଛରେ କାର୍‌ରେ ଆସୁଥିବା ରୂପେଶ ଚଟିବରଘାଟ ଆଡକୁ ଫେରାର ହେବାକୁ ଉଦ୍ୟମ କରିଥିଲେ। ପୋଲିସ ସ୍କ୍ବାଡ୍‌ ଗୋହିରା ଡ୍ୟାମ-ବରଘାଟ ରାସ୍ତାର ଦେଓଝରଣ ଜଳପ୍ରପାତ ନିକଟରେ ଉକ୍ତ କାର୍‌କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ମାତ୍ର ରୂପେଶ ପୋଲିସ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇ ଭୟଭୀତ କରିବା ସହ ସେଠାରୁ ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ଲକ୍ଷ୍ୟଚ୍ୟୁତ ଘଟିବାରୁ ପୋଲିସ କର୍ମଚାରୀ ଅଳ୍ପକେ ବର୍ତ୍ତିଯିବା ସହ ଉକ୍ତ ଦୁର୍ବୃତ୍ତଙ୍କୁ କାବୁ କରିଥିଲେ ବୋଲି ଏସ୍‌ପି ପାଇକରାୟ ସୂଚନା ଦେଇଛନ୍ତି। ଦେବଗଡ ଥାନାରେ ରୂପେଶଙ୍କ ବିରୋଧରେ ଏକ ମାମଲା ଏବଂ ବିକାଶ ଓ ପୌଲସ୍ତିଙ୍କ ବିରୋଧରେ ଅନ୍ୟ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଏସ୍‌ପି ପାଇକରାୟ ସୂଚନା ଦେଇଥିଲେ।