ବାପପୁଅଙ୍କୁ ଆକ୍ରମଣ, ଜଣେ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୨୯ା୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅଇଁଲା ସାରୀ ଗଣ୍ଡାପଡ଼ାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି କରିବା ନେଇ ଗାତ ଖୋଳୁ ଥିବା ବେଳେ ବାପ,ପୁଅଙ୍କୁ ଆକ୍ରମଣ ହୋଇଛି।

ସୂଚନାନୁସାରେ, ଅଇଁଲାସାରୀ ଗଣ୍ଡାପଡ଼ାରେ ଆବାସ ଯୋଜନା ଘର ତିଆରି କରିବା ନେଇ ପାଣ୍ଡବ ନାଗ ଓ ବିବେକାନନ୍ଦ ନାଗ ସୀମା ନିର୍ଦ୍ଧାରଣ କରି ଘରଡିହରେ ଗାତ ଖୋଳୁଥିଲେ। ଏତିକି ବେଳେ ଉକ୍ତ ପଡ଼ାର ରମେଶ ତାଣ୍ତି, ଭୋଳେଶ୍ୱର ତାଣ୍ଡି, ଟିକେଶ୍ୱର ତାଣ୍ଡି, ମୋହନ ତାଣ୍ଡି ଓ ପିଙ୍କି ତାଣ୍ଡି, ଘଟଣାସ୍ଥଳକୁ ଆସି ଗଣ୍ଡଗୋଳ କରିଥିଲେ। ଏହାର ପ୍ରତିବାଦ କରିବାରୁ ରମେଶ ତାଣ୍ଡି ପଛପଟୁ ଆସି ପାଣ୍ଡବ ଓ ବିବେକାନନ୍ଦଙ୍କୁ ଏକ ଳୁହାଛଡରେ ମୁଣ୍ଡରେ ଆକ୍ରମଣ କରିଥିଲା। ବାପ ପୁଅ ଦୁହେଁ ଗୁରୁତର ହୋଇଥିବା ଓ ପ୍ରଚୁର ରକ୍ତସ୍ରାବ ହେବାରୁ ଉଭୟଙ୍କୁ ପରିବାର ଲୋକେ ଡୁଙ୍ଗୁରିପାଲି ଡାକ୍ତର ଖାନାକୁ ଆଣିବା ପରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ବୁର୍ଲା ଡାକ୍ତରଖାନାକୁ ଶୁକ୍ରବାର ପଠାଇଥିବା ଜଣାପଡ଼ିଛି। ଏନେଇ ଥାନାରେ ଆହତ ପାଣ୍ଡବ ନାଗର ପୁଅ ବିଶ୍ୱ ନାଗ ଗୁରୁବାର ଥାନାରେ ଅଭିଯୋଗ କଲା ପରେ ପୋଲିସ ଅଭିଯୁକ୍ତ ରମେଶଙ୍କୁ ଗିରଫ କରିଥିଲା। ଏହିସବୁ ଘଟଣା ପାଣ୍ଡବର ପୁଅ ବିଶ୍ୱ ନାଗ ଅଭିଯୋଗରେ ଦର୍ଶାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖି କେସ୍‌ ନଂ-୧୨୫/୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରମେଶଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଯାଇଥିବା ପୋଲିସ ପ୍ରକାଶ କରିଛି। ଘଟଣାର ଆହୁରି ତଦନ୍ତ ଜାରି ରଖିଥିବା ତଦନ୍ତ ଅଧିକାରୀ ଏସ୍‌ଆଇ ଟଙ୍କଧର ଛତ୍ରିଆ ସୂଚନା ଦେଇଛନ୍ତି।