ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ସୁବାସ ବାୟକ ରବୀନ୍ଦ୍ର ସାହୁ ଓରଫ ଅଧିକାରୀ ଏବଂ ପ୍ରତିପକ୍ଷ ଗୋବିନ୍ଦ ସାହୁଙ୍କୁ ଗିରଫ କରିଛନ୍ତି। ୨ ଭାଇଙ୍କୁ ସୋମବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଥାନା ମାମଲା ନଂ.୯୦/୨୬ ଏବଂ ୯୧/୨୬ ଭାରତୀୟ ଆଇନ ସଂହିତାର ଧାରା-୨୯୬/୧୨୬(୨)/୧୧୫(୨)/୭୪/୭୬/୩୨୪(୨)/୧୦୯(୧)/୩୦୩(୨)/୩୫୨(୨)/୩(୫) ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ୨ ଭାଇଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ଶନିବାର ପୈତୃକ ଘର ଓ ଚାଷ ଜମି ବଣ୍ଟନକୁ କେନ୍ଦ୍ର କରି ଘର ସମ୍ମୁଖରେ ବିନୋଦ ସାହୁ ଏବଂ ରବୀନ୍ଦ୍ର ସାହୁ ଓରଫ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ କଥା କଟାକଟି ହୋଇଥିଲା। ବଡ଼ ଭାଇ ଗୋବିନ୍ଦ ସାହୁ ସେଠାରେ ପହଞ୍ଚି ଛଡ଼ାଛଡ଼ି କରିବାବେଳେ ରବୀନ୍ଦ୍ର ଉତ୍ତେଜିତ ହୋଇ ଏକ ଠେଙ୍ଗାରେ ଗୋବିନ୍ଦଙ୍କ ମୁଣ୍ଡ ଓ ଡାହାଣ ଆଣ୍ଠୁକୁ ଶକ୍ତ ପ୍ରହାର କରିଥିଲେ। ପରେ ବିନୋଦ ଏବଂ ରବୀନ୍ଦ୍ରଙ୍କୁ ଗୋବିନ୍ଦ ଆକ୍ରମଣ କରିଥିଲେ। ରବୀନ୍ଦ୍ରଙ୍କ ସ୍ତ୍ରୀ ଡଲି ସାହୁଙ୍କୁ ଗୋବିନ୍ଦ ଅସଦାଚରଣ କରିବା ସହ ଆକ୍ରମଣ କରିଥିଲେ। ଆହାତମାନଙ୍କୁ ବୋମକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ହୋଇ ଫେରିବା ପରେ ଗୋବିନ୍ଦ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ପରେ ରବୀନ୍ଦ୍ର ପାଲଟା ଏତଲା ଦେଇଥିଲେ। ଉଭୟଙ୍କ ଏତଲାକୁ ଭିତ୍ତିକରି ଆଇଆଇସି ବିଶ୍ୱଜିତ୍ ନାୟକ ଅଭିଯୁକ୍ତମାନଙ୍କ ନାଁରେ ମକଦ୍ଦମା ରୁଜୁ କରି ନୂଆପଡ଼ା ଫାଣ୍ଡି ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ ନେଇ ଗତ ପ୍ରାୟ ୧ ବର୍ଷ ହେଲା ଗ୍ରାମ ଭଦ୍ରଲୋକ ବୃନ୍ଦ ଚେଷ୍ଟା କରୁଥିଲେ ମଧ୍ୟ ସମାଧାନ ହୋଇପାରିନଥିଲା ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।
Dharitri – Odisha’s No.1 Odia Daily

