କିଭ୍,୪ା୧୧: ଦକ୍ଷିଣ ୟୁକ୍ରେନ୍ର ଏକ ସହାୟତା କେନ୍ଦ୍ରରୁ ଲୋକେ ମାନବୀୟ ସହାୟତା ସଂଗ୍ରହ କରିବା ପାଇଁ ଏକାଠି ହୋଇଥିବାବେଳେ ରୁଷିଆ ଆକ୍ରମଣ କରିବାରୁ ୩୧ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସୋମବାର ରାତିସାରା ମସ୍କୋ ୟୁକ୍ରେନ୍ର ବିଦ୍ୟୁତ୍ ପ୍ଲାଣ୍ଟଗୁଡ଼ିକୁ ଟାର୍ଗେଟ କରିଥିଲା। ଆକ୍ରମଣରେ କେତେକ ହସ୍ପିଟାଲ କ୍ଷତିଗ୍ରସ୍ତ ହେବା ସହ ଅନେକେ ଆହତ ହୋଇଛନ୍ତି।
ୟୁକ୍ରେନ୍ର ଜାପୋରିଝିଆ ଅଞ୍ଚଳର କୋମ୍ୟୁଶୁଭାଖାଠାରେ ଥିବା ସହାୟତା କେନ୍ଦ୍ର ଓ ଆଶ୍ରୟସ୍ଥଳ ଧ୍ୱଂସ ହୋଇଯାଇଛି। ବୋମାମାଡ଼ରେ ସୃଷ୍ଟ ଗର୍ତ୍ତ ଓ ଆଖପାଖ ଅଞ୍ଚଳରେ ଉଦ୍ଧାରକାରୀ ଏବଂ ସ୍ବେଚ୍ଛାସେବୀମାନେ ଖୋଜାଖୋଜି ଜାରି ରଖିଛନ୍ତି। ୪୫ରୁ ଊର୍ଦ୍ଧ୍ୱ ଲୋକ ନିଖୋଜ ଥିବାବେଳେ ସେମାନେ ଭଗ୍ନାବଶେଷ ତଳେ ଜୀବିତ ଥାଇପାରନ୍ତି ବୋଲି ଉଦ୍ଧାରକାରୀମାନେ ଆଶା କରୁଛନ୍ତି। ଏହା ଅତ୍ୟନ୍ତ ଭୟଙ୍କର ଦୁଃଖଦ ଘଟଣା ବୋଲି ଉକ୍ତ ଅଞ୍ଚଳର ସାମରିକ ପ୍ରଶାସନର କାର୍ଯ୍ୟକାରୀ ମୁଖ୍ୟ ମିଖାଇଲୋ ସେମିକିନ୍ କହିଛନ୍ତି।
ରୁଷିଆ ଆକ୍ରମଣରେ ୨୮୯ ଡ୍ରୋନ୍, ୧୭ ବାଲିଷ୍ଟିକ୍ ମିଶାଇଲ୍ ଓ ୫୯ କ୍ରୁଜ୍ ମିଶାଇଲ୍ ବ୍ୟବହାର କରି ୯ଟି ଅଞ୍ଚଳରେ ଥିବା ବିଦ୍ୟୁତ୍ ପ୍ରକଳ୍ପ ଓ ଅନ୍ୟ ସ୍ଥାନକୁ ଟାର୍ଗେଟ କରିଥିଲା। ଆମେରିକାରେ ମଧ୍ୟବର୍ତ୍ତୀ ନିର୍ବାଚନ ଚାଲିଥିବାବେଳେ ରୁଷିଆ ଆକ୍ରମଣକୁ ଜୋର୍ଦାର କରିଥିବା ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି କହିଛନ୍ତି। ଜାପୋରିଝିଆ ଆକ୍ରମଣରେ ରୁଷିଆ ୧.୫ ଟନ୍ ବିସ୍ଫୋରକ ଥିବା ବଙ୍କର ବିଧ୍ୱଂସୀ ବୋମା ବ୍ୟବହାର କରିଥିଲା। ମୃତକଙ୍କ ମଧ୍ୟରେ ୪ ଜଣ ପୋଲିସ ଅଫିସର ଓ ୨ ରେସ୍କ୍ୟୁ କର୍ମଚାରୀ ଅଛନ୍ତି। ଉକ୍ତ ଆକ୍ରମଣରେ ଅନୂ୍ୟନ ୫ ଜଣ ଆହତ ହୋଇଛନ୍ତି।
ଖର୍କିଭ୍ର ଉତ୍ତର-ପୂର୍ବାଞ୍ଚଳରେ ରୁଷିଆର ଡ୍ରୋନ୍ ଓ ମିଶାଇଲ୍ ଆକ୍ରମଣରେ ୬୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଉକ୍ତ ଆକ୍ରମଣରେ ଏକ ହସ୍ପିଟାଲ କ୍ଷତିଗ୍ରସ୍ତ ହେବା ସହ ୪ଟି ଆପାର୍ଟମେଣ୍ଟ ବିଲ୍ଡିଂ ଓ କେତେକ କାର୍ର ଝରକା ଭାଙ୍ଗିଛି । ୨୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଡ୍ନିପ୍ରୋରେ ରୁଷିଆ ଆକ୍ରମଣରେ ଜଣେ ପ୍ରାଣ ହରାଇବା ସହ ୧୭ ଜଣ ଆହତ ହୋଇଛନ୍ତି। ଏଥିସହିତ ଏକ କ୍ଳିନିକ୍ ଓ ଅନ୍ୟ ଏକ ହସ୍ପିଟାଲ କ୍ଷତିଗ୍ରସ୍ତ ହୋଇଛି। ଶୀତଋତୁ ପୂର୍ବରୁ ମସ୍କୋ ୟୁକ୍ରେନ୍ର ବିଦ୍ୟୁତ୍ ପ୍ଲାଣ୍ଟ ଓ ଶକ୍ତି ଭିତ୍ତିଭୂମିଗୁଡ଼ିକରେ ରାତିଅଧିଆ ଆକ୍ରମଣ ଜାରି ରଖିଛି।