Categories: ଜାତୀୟ

ସୁସ୍ମିତା ଦେବଙ୍କୁ ଆକ୍ରମଣ

ନୂଆଦିଲ୍ଲୀ,୨୩।୧୦: ୨୦୨୩ରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରଚାର ବେଳେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ସୁସ୍ମିତା ଦେବଙ୍କ କାର୍‌କୁ ଆକ୍ରମଣ କରାଯାଇଛି। ଭାଜପା କର୍ମୀମାନେ ତାଙ୍କ କାର୍‌କୁ ଟାର୍ଗେଟ କରିଥିବା ସୁସ୍ମିତା ଟୁଇଟରରେ ଅଭିଯୋଗ ଆଣିଛନ୍ତି।
ସୁସ୍ମିତା କଂଗ୍ରେସ ଛାଡ଼ି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସିରେ ଯୋଗଦେବା ପରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି। ଟିଏମ୍‌ସି ତ୍ରିପୁରାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି। ବିଧାନସଭା ନିର୍ବାଚନକୁ ବର୍ଷେରୁ ଅଧିକ ସମୟ ବାକି ଥିବାବେଳେ ସେ ଶୁକ୍ରବାର ‘ତ୍ରିପୁରାର ଜୋନୋ ତୃଣମୂଳ’ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରରେ ସୁସ୍ମିତା ଏକ କାର୍‌ରେ ପ୍ରଚାର ପାଇଁ ଯାଉଥିବାବେଳେ ଓ୍ବେଷ୍ଟ ତ୍ରିପୁରା ଜିଲା ଅମ୍‌ତୁଲି ନିକଟରେ ଭାଜପା କର୍ମୀ ଟାର୍ଗେଟ କରିଥିଲେ। ଏଥିରେ ସୁସ୍ମିତା ଓ ତାଙ୍କର କେତେଜଣ ସହଯୋଗୀ ଆହତ ହୋଇଛନ୍ତି। ଏପରିକି ଆକ୍ରମଣକାରୀମାନେ ସେମାନଙ୍କ ଫୋନ ମଧ୍ୟ ଛଡ଼ାଇନେଇଥିଲେ। ଏନେଇ ସେ ଅମ୍‌ତୁଲି ଥାନରେ ଲିଖିତ ଅଭିଯୋଗ କରିଛନ୍ତି। ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ରାଜ୍ୟରେ ଟିଏମ୍‌ସିର ଉପସ୍ଥିତିକୁ ବରଦାସ୍ତ କରିପାରୁ ନାହାନ୍ତି ବୋଲି ପୁଣିଥରେ ପ୍ରମାଣିତ କରିଛନ୍ତି। ବିରୋଧୀ ନେତାଙ୍କ ଉପରେ ଏପରି ଆକ୍ରମଣ କେବେ ବନ୍ଦ ହେବ ବୋଲି ଟିଏମ୍‌ସି ପକ୍ଷରୁ ପ୍ରଶ୍ନ କରାଯାଇଛି।

Share