Categories: ପୁରୀ

ଜୁଆଆଡ୍ଡାରେ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ

କାକଟପୁର,୨୫।୭(ଡି.ଏନ୍‌.ଏ): କାକଟୁପୁର ଥାନା ଅନ୍ତର୍ଗତ ଭଣ୍ଡିସାହିରେ ଚାଲିଥିବା ଏକ ଜୁଆଆଡ୍ଡାରେ ପୋଲିସ ଶୁକ୍ରବାର ରାତିରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଥାନାକୁ ନେବାକୁ ବେଳେ ସେମାନଙ୍କ ସମ୍ପର୍କୀୟମାନେ ପୋଲିସ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୨ଜଣ କର୍ମଚାରୀ ଆହତ ହୋଇଥିବାବେଳେ ଆକ୍ରମଣକାରୀମାନେ ପୋଲିସଙ୍କ ବନ୍ଧୁକ ଓ ମୋବାଇଲ ଛଡ଼ାଇ ନେଇଯାଇଛନ୍ତି। ଏ ନେଇ ପୋଲିସ ନଂ.୧୪୧/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନା ମୁତାବକ, ଭଣ୍ଡିସାହିର ଏକ ପରିତ୍ୟକ୍ତ ଗୁହାଳ ଘରେ ଗତ କିଛିଦିନ ହେବ ବଡ଼ଧରଣର ଜୁଆଆଡ୍ଡା ଚାଲିଥିବା ପୋଲିସ ଜାଣିବାକୁ ପାଇଥିଲା। ଏ ନେଇ କାକଟପୁର ଆଇଆଇସି ସୁଜିତ କୁମାର ଦାସ ଏକ ୧୨ଜଣିଆ ଟିମ କରି ଶୁକ୍ରବାର ରାତି ପ୍ରାୟ ୧୨ଟାବେଳେ ଚଢ଼ାଉ କରିଥିଲେ। ଏଥିରେ ଜୁଆଡ଼ିମାନେ ଛତ୍ରଭଙ୍ଗ ହୋଇଯିବାରୁ ପୋଲିସ ୪ଜଣଙ୍କୁ ଧରିବାରେ ସଫଳ ହୋଇଥିଲା। ସେମାନେ ହେଲେ ଏହି ସାହିର ନରେଶ ସ୍ବାଇଁ, କୃଷ୍ଣ ବେହେରା, ସମୀର ଲେଙ୍କା ଓ ଦୀପକ ସ୍ବାଇଁ। ପୋଲିସ ଆଡ୍ଡାସ୍ଥଳରୁ ନଗଦ ୧୨ହଜାର ୩୦୦ଟଙ୍କା, ୮ ମୋବାଇଲ ଫୋନ ସହ ତାସ୍‌ ଜବତ କରିଛି। ଗିରଫ ୪ ବ୍ୟକ୍ତିଙ୍କୁ ପୋଲିସ ଥାନାକୁ ନେବାବେଳେ ଅଭିଯୁକ୍ତଙ୍କ କେତେଜଣ ସମ୍ପର୍କୀୟ ପୋଲିସ ଗାଡ଼ିକୁ ଅଟକାଇବା ସହ ଆକ୍ରମଣ କରିଥିଲେ। ଫଳରେ ପୋଲିସ ସେମାନଙ୍କୁ ବୁଝାଶୁଝା କରି ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆକ୍ରମଣକାରୀମାନେ ଏଏସ୍‌ଆଇ ସୂର୍ଯ୍ୟମଣୀ ମାଝୀ, ହୋମଗାର୍ଡ ପ୍ରମୋଦ କାଣ୍ଡିଙ୍କୁ ଆହତ କରି ବନ୍ଧୁକ ଓ ମୋବାଇଲ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ। ଖବରପାଇ ଶୁକ୍ରବାର ପୁରୀ ଏସ୍‌ପି ଅଖିଳେଶ୍ୱର ସିଂ, ନିମାପଡ଼ା ଏସ୍‌ଡିପିଓ ପ୍ରଦୀପ୍ତ କୁମାର ଦଳେଇ କାକଟପୁର ଥାନାରେ ପହଞ୍ଚତ୍ ଘଟଣାର ଅନୁଧ୍ୟାନ କରିବା ସହ ଫେରାର ଥିବା ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।