ନୂଆଦିଲ୍ଲୀ,୯ା୬: ଅସ୍ତ୍ରବିରତି ସତ୍ତ୍ୱେ ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଆକ୍ରମଣ ଜୋର୍ଦାର ହୋଇଥିବାବେଳେ ଓମାନ ଉପକୂଳରେ ୨୪ ଭାରତୀୟ ଥିବା ଏକ ତୈଳବାହୀ ଜାହାଜ ସୋମବାର ଅପରାହ୍ନରେ ଆକ୍ରମଣର ସମ୍ମୁଖୀନ ହେବାରୁ ସେଥିରେ ନିଆଁ ଲାଗିଯାଇଛି। ଜାହାଜଟି ଓମାନର ଡୁକମ୍ ବନ୍ଦର ଆଡ଼େ ଯାଉଥିବାବେଳେ ଆକ୍ରମଣର ସମ୍ମୁଖୀନ ହେବାରୁ ସଙ୍କଟକାଳୀନ ସହାୟତା ପାଇଁ କଲ୍ କରିଥିଲା ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ମାଡାଗାସ୍କରର ଏମ୍ଟି ମାରିଭେକ୍ସ ନାମକ ଉକ୍ତ ଜାହାଜରେ ନିଆଁ ଲାଗିଥିବା ଭାରତର ବନ୍ଦର ଓ ଜଳପଥ ମନ୍ତ୍ରଣାଳୟ ନିର୍ଦ୍ଦେଶକ ଓପେଶ କୁମାର ଶର୍ମା କହିଛନ୍ତି। ଜାହାଜରେ ୨୪ ଭାରତୀୟ କ୍ରିଉ ସଦସ୍ୟ ଥିଲେ। ତେବେ ନିଆଁ ଲାଗିବାର କାରଣ କହିବାକୁ ସେ ମନା କରିଦେଇଛନ୍ତି। କି ପ୍ରକାର ଆକ୍ରମଣ ଥିଲା ତାହା ସ୍ପଷ୍ଟ ହୋଇନାହିଁ। ଭାରତୀୟ ନୌସେନା, ବହିର୍ବ୍ୟାପାର ମନ୍ତ୍ରଣାଳୟ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥା ମଧ୍ୟ ଆକ୍ରମଣ ସମ୍ପର୍କିତ ସ୍ପଷ୍ଟ ସୂଚନା ଦେଇନାହାନ୍ତି। ଜାହାଜଟି ଖାଲି ଥିଲା ଓ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ବାହାରେ ଥିଲା। ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ଭାରତୀୟ କର୍ମଚାରୀ ସୁରକ୍ଷିତ ଥିବା ଶର୍ମା କହିଛନ୍ତି। ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବିଦେଶରେ ଥିବା ଭାରତୀୟ ମିଶନ, ଭାରତୀୟ ନୌସେନା ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ସମନ୍ବୟ ରଖାଯାଇଛି। ଶିପ୍-ଟ୍ରାକିଂ ତଥ୍ୟ ଅନୁଯାୟୀ ଜାହାଜଟି ମସ୍କାଟର ଦକ୍ଷିଣରେ ଲଙ୍ଗର ପକାଇ ରହିଥିଲା।
nbsp;

