Categories: ଜାତୀୟ

ନୀତୀଶ କୁମାରଙ୍କ ଉପରେ ଆକ୍ରମଣ

ପାଟନା,୨୮।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ନିଜ ସହର ଭଖ୍‌ତିୟାରପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବାବେଳେ ତାଙ୍କୁ ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ସଙ୍ଗେ ସଙ୍ଗେ ସୁରକ୍ଷାକର୍ମୀମାନେ ଆକ୍ରମଣକାରୀଙ୍କୁ କାବୁ କରିନେଇଥିଲେ। ତାଙ୍କୁ ଗିରଫ କରାଯାଇ ପୋଲିସ ହାଜତରେ ରଖାଯାଇଛି। ସ୍ଥାନୀୟ ସଫର ହସ୍ପିଟାଲ କମ୍ପ୍ଲେକ୍ସରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଶିଳଭଦ୍ର ଯାଜିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବାକୁ ନୀତୀଶ ଯାଉଥିବାବେଳେ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ଆକ୍ରମଣକାରୀ ଜଣକ ପଛପଟୁ ଦ୍ରୁତ ବେଗରେ ମଞ୍ଚ ଉପରକୁ ଉଠିଆସି ନୀତୀଶଙ୍କୁ ଠେଲିଦେଇଥିବା ସିସିଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳିଛି। ସେତେବେଳେ ନୀତୀଶ ଶ୍ରଦ୍ଧାସୁମନ ଦେବା ଲାଗି ନଇଁଥିଲେ। ଆକ୍ରମଣକୁ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ନିନ୍ଦା କରିଛନ୍ତି।
ସୂଚନାଯୋଗ୍ୟ, ୨୦୨୦ ନଭେମ୍ବରରେ ନୀତୀଶ ବିହାରର ମଧୁବନିଠାରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବାବେଳେ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ହରଲଖିଠାରେ ସେ ନିଯୁକ୍ତି ସମ୍ପର୍କରେ କହୁଥିବାବେଳେ ଗହଳି ମଧ୍ୟରୁ କେହି ତାଙ୍କ ଉପରକୁ ପିଆଜ ଫୋପାଡ଼ିଥିଲେ। ପିଆଜ ଫିଙ୍ଗିଥିବା ବ୍ୟକ୍ତି ଧରାହେବା ପରେ ତାଙ୍କୁ ଛାଡ଼ିଦେବାକୁ ନୀତୀଶ କହିଥିଲେ।

Share