ବିଧାୟକଙ୍କୁ ଆକ୍ରମଣ ଘଟଣା : ୫ ଗିରଫ

କେନ୍ଦୁଝର,୧୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ପ୍ରତାପ ରାଉତ, ବିଦ୍ୟାଧର ପରିଡ଼ା, ଶରତ ଚନ୍ଦ୍ର ଜେନା, ସସିବୁଲ ଶେଖ, ମନମୋହନ ଦାସ। ବ୍ୟକ୍ତିଗତ ଶତ୍ରୁତା ଓ ଆର୍ଥିକ ନେଣଦେଣକୁ ନେଇ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଏ ନେଇ ଟାଉନ ଥାନାରେ କେସ ନଂ. ୩୯୧/୨୧ରେ ମାମଲା ରୁଜୁ ହୋଇଥିଲା। ତାଙ୍କଠାରୁ ୨ଟି ସୁତୁଲି ବମ୍‌ ଓ ବାଇକ୍‌ ଜବତ ହୋଇଛି। ଏହି ଘଟଣାରେ ସେମାନେ ତୃତୀୟ ଥର ପାଇଁ ଉଦ୍ୟମ କରି ସଫଳ ହୋଇଥିବା ସ୍ବୀକାର କରିଥିଲେ। ସେମାନଙ୍କ ବିରୋଧରେ ପୂର୍ବରୁ ଆପରାଧିକ ମାମଲା ରହିଛି। ଅନ୍ୟ ଜଣଙ୍କୁ ଖୋଜା ଚାଲିଛି। ଏହି ଷଡ଼ଯନ୍ତ୍ରରେ ଆଉ କିଏ ସାମିଲ ଅଛନ୍ତି କି ନାହିଁ, ତାହାର ତଦନ୍ତ ଚାଲିଛି ବୋଲି ଏସ୍‌ପି ମିତ୍ରଭାନୁ ମହାପାତ୍ର ଖବରଦାତା ସମ୍ମିଳନୀରେ କହିଛନ୍ତି। ଏଡିପିଓ ପି. ଜେ. ଟାପୋ, ଇନ୍ଦୁରେଖା ପଶ୍ଚିମକବାଟ ଉପସ୍ଥିତ ଥିଲେ। ଏଥିରେ ରାଜନୈତିକ ଉଦ୍ଦେଶ୍ୟ ନ ଥିବା କହିଛନ୍ତି।