ଆଇନଜୀବୀଙ୍କୁ ଆକ୍ରମଣ, ୨ ଅଟକ

ବାଲେଶ୍ୱର ଅଫିସ,୧୭।୪-ବାଲେଶ୍ୱର କଚେରି ପରିସରରେ ଥିବା ବାର୍‌ ଆସୋସିଏଶନ ଅଫିସ୍‌ରେ ଶୁକ୍ରବାର ଅପରାହ୍ନରେ ଆଇନଜୀବୀ ଭବେନ୍ଦୁ ଶେଖର ଉପାଧ୍ୟାୟଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଏହି ସମୟରେ ଅନ୍ୟ ଆଇନଜୀବୀମାନ ୨ ଆକ୍ରମଣକାରୀଙ୍କୁ କାବୁ କରି ସହଦେବଖୁଣ୍ଟା ମଡେଲ ଥାନାକୁ ହସ୍ତାନ୍ତର କରିଛନ୍ତି। ଏ ନେଇ ଆଇନଜୀବୀ ଉପାଧ୍ୟାୟଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା (ନଂ.୧୨୧/୨୧) ରୁଜୁ କରାଯାଇଥିବା ସବ୍‌ ଇନ୍ସପେକ୍ଟର ନୀଳମଣି ନାୟକ କହିଛନ୍ତି।
ସୂଚନା ଅନୁଯାୟୀ, କଚେରିରୁ ସବ୍‌ରେଜିଷ୍ଟ୍ରାର ଅଫିସ୍‌ ସମ୍ମୁଖ ରାସ୍ତାରେ ଆଇନଜୀବୀ ଉପାଧ୍ୟାୟ କୌଣସି କାମରେ ଆସୁଥିବା ବେଳେ ସ୍କୁଟିରେ ୨ ଯୁବକ ଦ୍ରୁତଗତିରେ ଯାଉଥିଲେ। ଏହାକୁ ସେ ବିରୋଧ କରିବାରୁ ସେମାନେ ତାଙ୍କ ସହ ପାଟିତୁଣ୍ଡ କରିଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ଆଇନଜୀବୀମାନେ ଜଣେ ଯୁବକଙ୍କୁ ବାର୍‌ ଆସୋସିଏଶନ ଅଫିସ୍‌ରେ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ପଳାଇ ଯାଇଥିଲେ। କିଛି ସମୟ ପରେ ସେ ୭/୮ ଜଣ ସହଯୋଗୀଙ୍କୁ ନେଇ କଚେରିରେ ପହଞ୍ଚି ବାର୍‌ ଅଫିସ୍‌ ଭିତରେ ବନ୍ଧୁକ ଦେଖାଇ ଗଣ୍ଡଗୋଳ ଓ ପାଟିତୁଣ୍ଡ କରିବା ସହ ଅଟକ ଯୁବକଙ୍କୁ ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯିବାରୁ ଅନ୍ୟ ସମସ୍ତେ ପଳାଇଯାଇଥିବା ବେଳେ ଆଉ ଜଣେ ଯୁବକଙ୍କୁ ଆଇନଜୀବୀମାନେ ଅଟକାଇଥିଲେ। ପରେ ସେମାନେ ସମ୍ପୃକ୍ତ ୨ ଯୁବକଙ୍କୁ ପୋଲିସ ଜିମା ଦେଇଥିଲେ। ଅଟକ ଦୁଇ ଯୁବକ ହେମନ୍ତ ସିଂ ଓ ବାପି ମନ୍ତ୍ରୀ ବୋଲି ଜଣାପଡ଼ିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।
ଏ ନେଇ ବାଲେଶ୍ୱର ବାର୍‌ ଆସୋସିଏଶନ ସଭାପତି ଆଇନଜୀବୀ ମନୋଜ ନାୟକ କହନ୍ତି, ବାଲେଶ୍ୱରରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ବାର୍‌ ଆସୋସିଏଶନ ଅଫିସ୍‌ ଭିତରେ ଆଇନଜୀବୀଙ୍କୁ ମାରିବାର ଧମକ ଦେବା ନିନ୍ଦନୀୟ ଘଟଣା। ଏହି ଘଟଣା ସମ୍ପର୍କରେ ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କୁ ସାକ୍ଷାତ କରାଯାଇଛି। ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ବାଲେଶ୍ୱର ବନ୍ଦ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।