ଘସିପୁରା ପୋଲିସକୁ ଆକ୍ରମଣ-ଦାଦାଗିରି: ୧୮ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ହାଟଡିହୀ,୧୮।୬(ଶୁଭକାନ୍ତ ନାୟକ): କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ଧମକ ଚମକ ଦେବା ଘଟଣାରେ ଶେଷରେ ପୋଲିସକୁ ମିଳିଛି ବଡ଼ ସଫଳତା। କେନ୍ଦୁଝର ଜିଲା ଘସିପୁରା ଥାନା ପୋଲିସ ଘଟଣାର ୧୮ ଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଖଡ଼ିବିଲ ଗ୍ରାମର ସନାତନ ଜେନାଙ୍କ ପୁଅ ରଜତ କୁମାର ଜେନା (୨୩)।

ସୂଚନା ଅନୁଯାୟୀ, ଗତ ମେ’ ୩୧, ୨୦୨୬ ତାରିଖରେ ଘସିପୁରା ଥାନାର କନେଷ୍ଟବଳ ଦେବ ପ୍ରସାଦ ଖିଲାର ଏବଂ ଅନ୍ୟ ଜଣେ ପୋଲିସ କର୍ମଚାରୀ କୌଣସି ସୂତ୍ରରୁ ଖବର ପାଇ ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଅଟକାଇଥିଲେ। ମାତ୍ର ସେହି ସମୟରେ ଅଭିଯୁକ୍ତ ରଜତ ଓ ତାଙ୍କ ସହଯୋଗୀମାନେ ପୋଲିସକୁ ଦେଖି ଚିହିଁକି ଉଠିଥିଲେ। ସେମାନେ ଆଇନକୁ ହାତକୁ ନେଇ ପୋଲିସ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏତିକିରେ ବାଲି ମାଫିଆଙ୍କ ମନ ବୁଝି ନ ଥିଲା, ସେମାନେ ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଆକ୍ରମଣ କରି ଜବତ ହୋଇଥିବା ବାଲି ଟ୍ରାକ୍ଟରକୁ ଜବରଦସ୍ତି ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ।

ଏହି ଆକ୍ରମଣ ପରେ ଆହତ କନେଷ୍ଟବଳ ଦେବ ପ୍ରସାଦ ଖିଲାର ଘସିପୁରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ନଂ ୨୫୪/୨୦୨୬ ପଞ୍ଜିକରଣ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ମୁଖ୍ୟ ଅଭିଯୁକ୍ତ ରଜତ ନିଜ ଘର ଛାଡ଼ି ଫେରାର ହୋଇଯାଇଥିଲେ।

ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆନନ୍ଦପୁର ଏସଡିପିଓ (SDPO) କମଳ କୁମାର ପଣ୍ଡା ଏଥିରେ ସିଧାସଳଖ ହସ୍ତକ୍ଷେପ କରିଥିଲେ। ତାଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜୋରଦାର କରାଯାଇଥିଲା। ଶେଷରେ ଗୁରୁବାର ଦିନ ପୋଲିସ ଟିମ୍‌କୁ ସୂଚନା ମିଳିବା ପରେ ଏକ ବାହାର ଅଞ୍ଚଳରେ ଚଢ଼ାଉ କରି ଅଭିଯୁକ୍ତ ରଜତ ଜେନାଙ୍କୁ ଗିରଫ କରାଯାଇଛି।

Dharitri – Odisha’s No.1 Odia Daily

Share