ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଜୁନାଗଡ଼,୨ା୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ଗୁରୁବାର ନୂଆଁଖାଇ ପାଇଁ ଚାରିଆଡ଼େ ଆନନ୍ଦ,ଉଲ୍ଲାସ ରହିଥିବାବେଳେ ଏପଟେ ବିଳମ୍ବିତ ରାତିରେ ଜିଲାର ଜୁନାଗଡ଼ ଥାନା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି। ଗୁରୁବାର ସନ୍ଧ୍ୟାରେ ଜୁନାଗଡ଼ ସହରରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା ଫଳରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାମ ମାନସ ମେହେର ଓ ସେ ବଳଦିଆମାଲ ଗ୍ରାମର ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସାରେ ମାନସ ଓ ତାଙ୍କ ସାଙ୍ଗ ବାଇକରେ ଜୁନାଗଡ଼ ସହରରୁ ଘରକୁ ଫେରୁଥିବାବେଳେ ନୂଆ ବସଷ୍ଟାଣ୍ଡ ନିକଟରେ ଅନ୍ୟ ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା। ଏହି ସମୟରେ ଅନ୍ୟ ବାଇକ୍‌ରେ ବସିଥିବା ଯୁବକ ମାନେ ଉତ୍ୟକ୍ତ ହୋଇ ମାନସକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ମାନସ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜୁନାଗଡ଼ ସରକାରୀ ଡାକ୍ତରଖାନା ଓ ପରେ ରାୟପୁରଙ୍କୁ ନିଆଯାଉଥିବାବେଳେ ବାଟରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ,ପରିବାର ର୍ଗ ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ଏଥିରେ ସମ୍ପୃକ୍ତ ଥିବା ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ପରିବାର ଓ ସମ୍ପର୍କୀୟ ଲୋକେ ଆଜି ସକାଳରେ ଜୁନାଗଡ଼ ଥାନାର ଦ୍ୱାରସ୍ତ ହୋଇଛନ୍ତି। ଜୁନାଗଡ଼ ପୋଲିସ ଏ ନେଇଁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।