ପୂର୍ବ ଶତ୍ରୁତାରୁ ଆକ୍ରମଣ: ସାନଭାଇ ମୃତ, ବଡ଼ ଗୁରୁତର

ସାକ୍ଷୀଗୋପାଳ,୩ା୧୨(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଷୋଳହଳ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶନିବାର ଗୋଷ୍ଠୀ ଆକ୍ରମଣରେ ଇନ୍ଦ୍ରମଣି ପଣ୍ଡା (୪୬)ଙ୍କର ମୃତ୍ୟୁ ଘଟିଛି। ମୃତ ଇନ୍ଦ୍ରମଣି ଗ୍ରାମ ନିକଟ କେନାଲକୁ ଶୌଚ ପାଇଁ ଯାଇଥିବା ବେଳେ ପୂର୍ବରୁ ସେଠାରେ ଛପି ରହିଥିବା ବିଜୟ କୁମାର ପଣ୍ଡା ଓ ଅନ୍ୟମାନେ କଟୁରି, ଶାବଳ, ଠେଙ୍ଗା ଆଦି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଖବର ପାଇ ତାଙ୍କ ସ୍ତ୍ରୀ ଓ ପରିବାର ଲୋକେ ଇନ୍ଦ୍ରମଣିଙ୍କୁ ରକ୍ଷା କରିବାକୁ ଯାଇ ଆକ୍ରମଣସ୍ତର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏପରିକି ଇନ୍ଦ୍ରମଣି ତଳେ ପଡ଼ିଯାଇ ଥିବା ସମୟରେ ତାଙ୍କ ବେକ ଉପରେ ମୋଟର ସାଇକେଲ ଚଢ଼ାଇ ଦିଆଯାଇଥିଲା ବୋଲି ଅଭିଯୋଗକାରୀମାନେ ପୋଲିସକୁ କହିଛନ୍ତି। ଗୁରୁତର ଅବସ୍ଥାରେ ମୃତ ଇନ୍ଦ୍ରମଣି ଓ ତାଙ୍କ ବଡ଼ଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କୁ ପ୍ରଥମେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ପୁରୀ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଇନ୍ଦ୍ରମଣିଙ୍କ ମୃତ୍ୟୁ ଘଟିଛି। ଏନେଇ ଇନ୍ଦ୍ରମଣିଙ୍କ ସ୍ତ୍ରୀ ସୁକାନ୍ତି ପଣ୍ଡାଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ଥାନା କେସ୍‌ ନଂ ୩୫୫/ ୨୨ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ପୋଲିସ ମୃତ ଇନ୍ଦ୍ରମଣିଙ୍କ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହିତ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ତଦନ୍ତ କରୁଥିବା ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା କହିଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ନିମନ୍ତେ ଏସ୍‌ପିଙ୍କ ନିର୍ଦ୍ଦେଶରେ ଟିମ୍‌ ଆଖପାଖ ଗ୍ରାମରେ ଚଢ଼ାଉ ଆରମ୍ଭ କରିଛନ୍ତି।