Categories: ବାଣିଜ୍ୟ

ଅଟଳ ପେନସନ ଯୋଜନା: ବୃଦ୍ଧାବସ୍ଥା ଲାଗି ପ୍ରତି ମାସରେ ଜମା କରନ୍ତୁ ୨୧୦ ଟଙ୍କା, ୫୦୦୦ ପେନସନର ଗ୍ୟାରେଣ୍ଟି

ନୂଆଦିଲ୍ଲୀ,୨୬।୮: ସମସ୍ତେ ନିଜ ରୋଜଗାରରୁ କିଛି ସଞ୍ଚୟ କରିବାକୁ ଚେଷ୍ଟା କରନ୍ତି। ଏହାକୁ ଏପରି ସ୍ଥାନରେ ବିନିଯୋଗ କରିବାକୁ ଚାହାଁନ୍ତି, ଯାହାଫଳରେ ସେମାନଙ୍କୁ ବୃଦ୍ଧାବସ୍ଥାରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିବ ନାହିଁ। ବର୍ତ୍ତମାନ ସମୟରେ ଅନେକ ପ୍ରକାରର ପେନସନ ଯୋଜନା ଉପଲବ୍ଧ ଅଛି, କିନ୍ତୁ ସେଥିମଧ୍ୟରୁ ସରକାରଙ୍କ ଏପିଓ୍ବାଇ ଅର୍ଥାତ ଅଟଳ ପେନ୍‌ସନ ଯୋଜନା ବହୁତ ଲୋକପ୍ରିୟ। ଏହି ଯୋଜନା ୬୦ ବର୍ଷ ପରେ ସ୍ବାଧୀନରେ ଜୀବନଯାପନ ପାଇଁ ଭଲ, ଯେଉଁଥିରେ ଆପଣ ପ୍ରତି ମାସରେ ଅଳ୍ପ ପରିମାଣର ଜମା କରି ନିଶ୍ଚିତ ପେନସନ ପାଇବେ।

୨୦୧୫-୧୬ରେ ଏହା ଆରମ୍ଭ କରାଯାଇଥିଲା। ଯେଉଁମାନେ କୌଣସି ସରକାରୀ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ନାହାନ୍ତି ସେମାନେ ଏହାର ଲାଭ ଉଠାଇପାରିବେ ବୋଲି କୁହାଯାଇଥିଲା। ଏବେ ଏହି ଯୋଜନାରେ ୫ କୋଟିରୁ ଊର୍ଦ୍ଧ୍ୱ ଲୋକେ ଯୋଡ଼ି ହୋଇଛନ୍ତି।

ଏହି ଯୋଜନାରେ ମାସକୁ ଅଳ୍ପ ଟଙ୍କା ବିନିଯୋଗ କରି ଅବସର ପରେ ୧୦୦୦ରୁ ଆରମ୍ଭ କରି ୫୦୦୦ ଟଙ୍କା ଯାଏ ମାସିକ ପେନସନର ଲାଭ ଉଠାଇପାରିବେ। ଏଥିରେ ନିବେଶ ଲାଗି ବୟସସୀମା ୧୮ରୁ ୪୦ ବର୍ଷ ଅଟେ। ପ୍ରତି ମାସରେ ୫୦୦୦ ଟଙ୍କା ପେନସନ ପାଇବାକୁ ଚାହୁଁଥିଲେ ଆପଣ ଏହି ଯୋଜନାରେ ମାସକୁ ୨୧୦ ଟଙ୍କା ରଖିବାକୁ ହେବ।

ସରକାରଙ୍କ ପକ୍ଷରୁ ଗତ ମାସରେ ଏହି ସ୍କିମ୍‌ର ନିୟମରେ ପରିବର୍ତ୍ତନ କରାଯାଇଛି। ନୂଆ ନିୟମାନୁଯାୟୀ ଆୟକର ଦେଉଥିବା ଲୋକେ ଏହାର ଲାଭ ଉଠାଇପାରିବେ ନାହିଁ। କାରଣ ଏହି ଯୋଜନାଧାରୀଙ୍କୁ ଆୟକର ଛାଡ଼ କରାଯାଇଛି।

Share