ନୂଆଦିଲ୍ଲୀ, ୨୯।୧୦: କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପ୍ରକାରର ଯୋଜନା ଚାଲୁ ରହିଛି। ଏହି ଯୋଜନାଗୁଡ଼ିକ ମାଧ୍ୟମରେ କେଉଁଠି ସବ୍ସିଡି କିମ୍ବା ବିଭିନ୍ନ ସାମଗ୍ରୀ ଯୋଗାଇ ଦିଆଯାଉଛି, ତ ଆଉ କେଉଁଠି ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।
ଏଭଳି ଏକ ଯୋଜନା ହେଉଛି ଅଟଳ ପେନ୍ସନ ଯୋଜନା (APY)। ଏହି ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀମାନେ ୬୦ ବର୍ଷ ବୟସ ପରେ ପ୍ରତି ମାସରେ ସର୍ବାଧିକ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ପେନ୍ସନ ପାଇପାରିବେ। କିନ୍ତୁ ଏହି ଯୋଜନାରେ କେଉଁମାନେ ସାମିଲ ହୋଇପାରିବେ ଏବଂ କେଉଁମାନେ ଏଥିପାଇଁ ଯୋଗ୍ୟ ନୁହନ୍ତି, ତାହା ଜାଣିବା ଜରୁରୀ। ଆସନ୍ତୁ ଜାଣିବା ଏହି ଯୋଜନା ସମ୍ପର୍କରେ।
ଅଟଳ ପେନସନ ଯୋଜନା ପାଇଁ କିଏ ଯୋଗ୍ୟ?
-ଆବେଦନକାରୀ ଭାରତର ନାଗରିକ ହୋଇଥିବା ଆବଶ୍ୟକ।
-ଆବେଦନକାରୀଙ୍କ ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଦରକାର।
-ତାଙ୍କ ନାମରେ ବ୍ୟାଙ୍କ କିମ୍ବା ଡାକଘରରେ ଏକ ସଞ୍ଚୟ ଖାତା ଥିବା ଆବଶ୍ୟକ।
କେଉଁମାନେ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ?
-ଆୟକରଦାତା ବ୍ୟକ୍ତିମାନେ ଏହି ଯୋଜନାରେ ନୂଆ ଭାବେ ସାମିଲ ହେବାକୁ ଯୋଗ୍ୟ ନୁହନ୍ତି।
-ଅନ୍ୟ ଦେଶରେ ବସବାସ କରୁଥିବା ଏନଆର୍ଆଇ (NRI)ଙ୍କ ସମ୍ପର୍କରେ ଯୋଜନାର ନିୟମ ଅଲଗା ହୋଇପାରେ। ତେଣୁ ଆବେଦନ ପୂର୍ବରୁ ନିଜ ବ୍ୟାଙ୍କରୁ ଯୋଗ୍ୟତା ସମ୍ପର୍କରେ ନିଶ୍ଚିତ ହୁଅନ୍ତୁ।
ଅଟଳ ପେନସନ ଯୋଜନା ଏକ ପେନସନ ଆଧାରିତ ନିବେଶ ଯୋଜନା। ଏଥିରେ ଯୋଗଦେବା ପରେ ନିଜ ବୟସ ଓ ଚୟନ କରିଥିବା ପେନସନ ରାଶି ଅନୁଯାୟୀ ନିୟମିତ ଭାବେ ଟଙ୍କା ଜମା କରିବାକୁ ପଡ଼ିଥାଏ। ସାଧାରଣତଃ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଯୋଗଦାନ କରିବା ପରେ ମାସିକ ପେନ୍ସନ ମିଳିଥାଏ।
ଏହାକୁ ଏକ ଉଦାହରଣ ମାଧ୍ୟମରେ ବୁଝିବା। ଯଦି ଜଣେ ୧୮ ବର୍ଷୀୟ ବ୍ୟକ୍ତି ପ୍ରତି ମାସରେ ୫,୦୦୦ ଟଙ୍କା ପେନ୍ସନ ପାଇବାର ବିକଳ୍ପ ଚୟନ କରନ୍ତି, ତେବେ ତାଙ୍କୁ ପ୍ରତି ମାସରେ ୨୧୦ ଟଙ୍କା ଜମା କରିବାକୁ ପଡ଼ିପାରେ। ସେହିପରି, ୫,୦୦୦ ଟଙ୍କା ମାସିକ ପେନସନ ପାଇବା ପାଇଁ ୩୦ ବର୍ଷ ବୟସର ଜଣେ ବ୍ୟକ୍ତିଙ୍କୁ ପ୍ରତି ମାସରେ ୫୭୭ ଟଙ୍କା ଜମା କରିବାକୁ ପଡ଼ିପାରେ। ଏହି ଯୋଜନାରେ ସାମିଲ ହେବା ପାଇଁ ନିଜ ବ୍ୟାଙ୍କ କିମ୍ବା ଡାକଘରକୁ ଯାଇ ଆବେଦନ କରିପାରିବେ। ଆବେଦନ ପୂର୍ବରୁ ଯୋଗ୍ୟତା, ମାସିକ ଯୋଗଦାନ ରାଶି ଓ ଅନ୍ୟାନ୍ୟ ନିୟମ ସମ୍ପର୍କରେ ଅଧିକାରିକ ସୂଚନା ଯାଞ୍ଚ କରିନେବା ଉଚିତ।