ସୂର୍ଯ୍ୟମନ୍ଦିର ପ୍ରବେଶ ପଥରେ ଠେଲାପେଲା

କୋଣାର୍କ,୨୯।୧୨(ଡି.ଏନ୍‌.ଏ.): ରାଜ୍ୟରେ ଏବେ ଶୀତର ପ୍ରକୋପ ସହ ପର୍ଯ୍ୟଟନ ଋତୁ ଚାଲିଥିବାରୁ ଗତ କିଛିଦିନ ହେଲା କୋଣାର୍କରେ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ତେବେ ମଙ୍ଗଳବାର ପୂର୍ବାହ୍ନରେ ସୂର୍ଯ୍ୟମନ୍ଦିରରେ ପର୍ଯ୍ୟଟକଙ୍କ ଅସମ୍ବାଳ ଭିଡ଼ ଦେଖିବାକୁ ମିଳିଥିଲା। ତେବେ ହଠାତ୍‌ ଟିକେଟ କାଉଣ୍ଟରରୁ ଟୋକନ ପାଇ ନ ଥିଲେ। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷାରେ ଥିବା ପର୍ଯ୍ୟଟକମାନେ ଉତ୍ତ୍ୟକ୍ତ ହୋଇ ସୂର୍ଯ୍ୟମନ୍ଦିର ପ୍ରବେଶ ପଥରେ ଠେଲାପେଲା କରି ମନ୍ଦିର ଭିତରକୁ ଧସେଇ ପଶିଥିଲେ। ଏପରିକି କିଛି ସମୟ ପାଇଁ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ଖବରପାଇ କୋଣାର୍କ ଥାନା ପୋଲିସ ପହଞ୍ଚତ୍ ପର୍ଯ୍ୟଟକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ମଙ୍ଗଳବାର ପୂର୍ବାହ୍ନରୁ ସୂର୍ଯ୍ୟମନ୍ଦିରକୁ ପର୍ଯ୍ୟଟକ ଆସିବାର ସଂଖ୍ୟା ବଢ଼ିଚାଲିଥିଲା। ଏଥିପାଇଁ ଟିକେଟ କାଉଣ୍ଟରରେ ପର୍ଯ୍ୟଟକଙ୍କ ଲମ୍ବାଧାଡ଼ିରେ ଛିଡ଼ା ହୋଇଥିଲେ। ହେଲେ କାଉଣ୍ଟରରେ ପର୍ଯ୍ୟାପ୍ତ ପରିମାଣର ଟୋକନ ନ ଥିବାରୁ ପର୍ଯ୍ୟଟକଙ୍କୁ ଆଉ ଟିକେଟ ମିଳିପାରି ନ ଥିଲା। ଫଳରେ ଅପେକ୍ଷାରତ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିବା ସହ ମନ୍ଦିର ଭିତରକୁ ଧସେଇ ପଶିଥିଲେ। ଏପରିକି କେତେଜଣ ପର୍ଯ୍ୟଟକ ବିପଦପୂର୍ଣ୍ଣ ଭାବେ ମନ୍ଦିରକୁ ଲାଗିଥିବା ପାଚେରି ଉପରୁ ତଳକୁ ଡିଅଁା ମାରି ପଶିଥିଲେ। ଉପାୟଶୂନ୍ୟ ହୋଇ ସୁରକ୍ଷାକର୍ମୀମାନେ ମନ୍ଦିର ବନ୍ଦ ରଖିଥିଲେ। ଅନ୍ୟପଟେ ଟୋକନ ନ ପାଇ ନିରାଶରେ ଫେରିଯାଇଥିଲେ ହଜାର ହଜାର ପର୍ଯ୍ୟଟକ। ଏଥିପାଇଁ ପର୍ଯ୍ୟଟକମାନେ ଏଏସ୍‌ଆଇ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛନ୍ତି। ଏପରିକି ଟୋକନର ଅନ୍ୟ ବିକଳ୍ପ ବ୍ୟବସ୍ଥା ସେମାନେ ଦାବି କରିଛନ୍ତି। ପଶ୍ଚିମବଙ୍ଗର ଅଧିକାଂଶ ପର୍ଯ୍ୟଟକଙ୍କୁ ଟୋକନ ନ ମିଳିବାରୁ ମନ୍ଦିର ବୁଲି ପାରି ନ ଥିବା କ୍ଷୋଭର ସହ କହିଥିଲେ। ବସ୍‌ ସମୟ ହୋଇଯାଇଥିବାରୁ ସେମାନେ ଫେରିଯାଇଥିଲେ। ଏ ସମ୍ପର୍କରେ ଏଏସ୍‌ଆଇ ସଂରକ୍ଷଣ ଅଧିକାରୀ ନୀରଜ ସିଂ କହିଛନ୍ତି, ଏବେ ୧୦ହଜାର ଟୋକନ ରହିଛି। ହଠାତ୍‌ ସର୍ଭର ଡାଉନ ହେବାରୁ ଏଭଳି ପରିସ୍ଥିତି ଦେଖାଦେଇଥିଲା।