କେନ୍ଦ୍ର, ରାଜ୍ୟରେ ଅଘୋଷିତ ମେଣ୍ଟ ସରକାର ଚାଲିଛି: କଂଗ୍ରେସ

ଭୁବନେଶ୍ୱର,୩।୧୧(ବ୍ୟୁରୋ): ୨୦୧୪ରୁ କେନ୍ଦ୍ର ଶାସନ ଦାୟିତ୍ୱ ଭାଜପା ହାତକୁ ଯିବାଠାରୁ ଓଡ଼ିଶାରେ ଭିନ୍ନ ସମୀକରଣ ଦେଖିବାକୁ ମିଳୁଛି। ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଚାଲିଥିବା ଅଘୋଷିତ ମେଣ୍ଟ ସରକାର ଯୋଗୁ ରାଜକୋଷକୁ ୭୨ ହଜାର କୋଟିର କ୍ଷତି ପହଞ୍ଚିଛି ବୋଲି କଂଗ୍ରେସ ଅଭିଯୋଗ କରିଛି।
କଂଗ୍ରେସ ଭବନଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନ୍‌ଗୋ କହିଛନ୍ତି, ଗତ ୬ ବର୍ଷରେ ଓଡ଼ିଶା ନିଜ ପ୍ରାପ୍ୟ ବାବଦକୁ ୭୨ ହଜାର କୋଟି ଟଙ୍କା ହରାଇଛି। କେନ୍ଦ୍ରର ପ୍ରତ୍ୟେକ ନିଷ୍ପତ୍ତି ଯେତେ କ୍ଷତିକାରକ ଏବଂ ଲୋକ ବିରୋଧୀ ହେଲେ ମଧ୍ୟ ରାଜ୍ୟ ଖୋଲାଖୋଲି ସମର୍ଥନ ଜଣାଉଛି। ବିମୁଦ୍ରୀକରଣ, ଜିଏସ୍‌ଟି, ଚାଷ ସମ୍ପର୍କିତ ଆଇନ, କୋଇଲା ନିଲାମ ଏବଂ ସିଏଏ ସମ୍ପର୍କିତ ଆଇନ ଆଦି ସବୁ ନବୀନ-ମୋଦିଙ୍କ ଡବଲ ଇଞ୍ଜିନ ସରକାର ଏକାଠି କାର୍ଯ୍ୟ କରୁଛନ୍ତି। ଭାଜପା ନେତାଙ୍କୁ ଓଡ଼ିଶାରୁ ରାଜ୍ୟ ସଭା ପଠାଇବାରେ ବିଜେଡିର ଅକୁଣ୍ଠ ସାହାଯ୍ୟ ମଧ୍ୟ ସାରା ଓଡ଼ିଶା ଦେଖିଛି। ଏହା ମଧ୍ୟରେ ରାଜ୍ୟର ଋଣ ପରିମାଣ ଲକ୍ଷେ ୨୫ ହଜାର କୋଟିରେ ପହଞ୍ଚିଲାଣି। ରାଜ୍ୟରେ ବେକାରି ଏବଂ ଚାଷୀ ସମସ୍ୟା ଉତ୍କଟ ହେଲାଣି। ଜିଏସ୍‌ଟିର କ୍ଷତିପୂରଣ ସେସ୍‌ ଓ ଅର୍ଥ କମିଶନଙ୍କ ଆବଣ୍ଟନ ପ୍ରକ୍ରିୟାରେ ରାଜ୍ୟର ଅଂଶ ବାବଦକୁ ଓଡ଼ିଶା ନିଜସ୍ବ ହକ୍‌ ଗତ ୬ ବର୍ଷରେ ହରାଇଛି। ସମଦୂରତାର କଥା କହୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ସ୍ବାର୍ଥ ପାଇଁ କେନ୍ଦ୍ର ନିକଟରେ ଓଡ଼ିଶାର ଦାବି ଓ ହକ୍‌କୁ ଉତ୍ଥାପନ କରିବାରେ ଫେଲ୍‌ ହୋଇଥିବା ପଞ୍ଚାନନ କହିଛନ୍ତି।