ସୀମାନ୍ତରେ ଯାଞ୍ଚ ହୁଗୁଳା : ୩ୟ ଲହରକୁ ନେଇ ଚିନ୍ତାରେ ଜଳେଶ୍ୱରବାସୀ

ଜଳେଶ୍ୱର, ୨୯।୬(ଡି.ଏନ.ଏ.)-ପ୍ରବାସୀଙ୍କ ଅବାଧ ପ୍ରବେଶକୁ ରୋକିବା ଲାଗି ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ମଧ୍ୟ ଦେଇଯାଇଥିବା ୬୦ନଂ. ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରେ ବ୍ୟାରିକେଡ କରାଯାଇ ଯାଞ୍ଚ କରାଯାଉଥିଲା। ହେଲେ ଏବେ ଉପାନ୍ତରେ ବ୍ୟାରିକେଡ ହୋଇଥିବା ସମସ୍ତ ରାସ୍ତା ମୁକୁଳା ପଡିଛି। ଏପରିକି ୬୦ନଂ.ଜାତୀୟ ରାଜପଥରେ ହେଉଥିବା ଯାଞ୍ଚ ମଧ୍ୟ ହୁଗୁଳା ହେଉଛି। ଫଳରେ ଦୁଇ ରାଜ୍ୟର ଉପାନ୍ତ ଗ୍ରାମରେ ବସୁଥିବା ସାପ୍ତାହିକ ହାଟ ଓ ବିବାହ ଭୋଜିକୁ ହଜାର ହଜାର ଲୋକ ଅନାୟାସରେ ଯିବା ଆସିବା କରିବା ସହ ସାମାଜିକ ଦୂରତା ନିୟମକୁ ଊଲ୍ଲଂଘନ କରିଚାଲିଛନ୍ତି।
କରୋନାର ୨ୟ ଲହର ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରୁ ସେଠାରେ ସ୍ବତନ୍ତ୍ର ପୋଲିସ୍‌ ବ୍ୟବସ୍ଥା କରାଯିବା ସହିତ ଉପାନ୍ତ ପଶ୍ଚିମବଙ୍ଗକୁ ଲାଗି ରହିଥିବା କେତେକ ମୁଖ୍ୟ ରାସ୍ତା ଓ ଗଳା ରାସ୍ତାକୁ ସିଲ୍‌ କରାଯାଇଥିଲା ା ଏବେ ବାଲେଶ୍ୱର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍‌ବେଗଜନକ ରହିଛି। ଏଭଳି ସ୍ଥିତିରେ ଉପାନ୍ତରେ ବ୍ୟାରିକେଡ ହୋଇଥିବା ସମସ୍ତ ରାସ୍ତା ମୁକୁଳା ପଡିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ପଶ୍ଚିମବଙ୍ଗର ବହୁ କରୋନା ଆକ୍ରାନ୍ତ ରାଜ୍ୟ ମଧ୍ୟକୁ ପ୍ରବେଶ କରିବାରେ ସକ୍ଷମ ହେଉଛନ୍ତି। ଜଗନ୍ନାଥ ସଡ଼କ ହାଟପଦା ନିକଟ, ୬୦ନଂ. ଜାତୀୟ ରାଜପଥ ଟୋଲପ୍ଲାଜା ନିକଟ ସ୍ଲିପିଂ ରୋଡ଼, ଆମ୍ବଳିଅଠା-ସୋଲପଟା ଓ ସୁଗୋ-ମାଟିପୁରା ରାସ୍ତାରେ ପୋଲିସ୍‌ ପହରା ନ ଥିବାରୁ ଦୁର୍ବୃତ୍ତମାନେ ବ୍ୟାରିକେଡ୍‌କୁ ଭାଙ୍ଗି ଅବାଧରେ ଯାନବାହନ ଚଳପ୍ରଚଳ କରୁଥିବାରୁ ଜଳେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି ା ରାଜ୍ୟରେ କରୋନର ୩ୟ ଲହର ଓ ଡେଲ୍ଟା ପ୍ଲସ୍‌ ଚିନ୍ତା ବଢ଼ାଇଥିବା ବେଳେ ଉପାନ୍ତ ଜଳେଶ୍ୱର କେତେ ସୁରକ୍ଷିତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ା