Categories: ଜାତୀୟ

ଦେଶ ଛାଡ଼ିପାରନ୍ତି ୮ ହଜାର ଅତି ଧନୀ

ନୂଆଦିଲ୍ଲୀ,୧୪।୬: ଚଳିତ ବର୍ଷ ଭାରତରୁ ପ୍ରାୟ ୮,୦୦୦ ଅତି ଧନୀ ଅନ୍ୟ ଦେଶକୁ ପଳାଇଯାଇପାରନ୍ତି ବୋଲି ଏକ ନୂଆ ଅଧ୍ୟୟନରେ କୁହାଯାଇଛି। ଭାରତରେ କଠୋର ଟିକସ ନିୟମାବଳୀ ଏବଂ ରିପୋର୍ଟିଂ ଆବଶ୍ୟକତା ସହ ଦୃଢ଼ ପାସ୍‌ପୋର୍ଟ ନିୟମ ଦେଶାନ୍ତର ଗମନର ମୁଖ୍ୟ କାରଣ ବୋଲି ହେନ୍‌ଲି ଗ୍ଲୋବାଲ ସିଟିଜେନ୍ସ ରିପୋର୍ଟରେ କୁହାଯାଇଛି। ଏହି ସଂସ୍ଥା ଘରୋଇ ସମ୍ପତ୍ତି ଓ ବିଶ୍ୱବ୍ୟାପୀ ନିବେଶ ସ୍ଥାନାନ୍ତର ଟ୍ରେଣ୍ଡ୍‌କୁ ଚିହ୍ନଟ କରିଥାଏ। ଏହାର ରିପୋର୍ଟ ଅନୁଯାୟୀ ଯୁବ ପ୍ରଯୁକ୍ତି ଉଦ୍ୟୋଗୀମାନେ ବିଶ୍ୱସ୍ତରୀୟ ବ୍ୟବସାୟ ଓ ପୁଞ୍ଜିନିବେଶ ସୁଯୋଗ ହାସଲ ପାଇଁ ଆଗ୍ରହୀ। ତେଣୁ ସେମାନେ ଦେଶ ବାହାରକୁ ଯିବାକୁ ଅଧିକ ପସନ୍ଦ କରୁଛନ୍ତି। ରିପୋର୍ଟରେ ଆହୁରି ଆକଳନ କରାଯାଇଛି ଯେ ଆଗାମୀ ୧୦ ବର୍ଷରେ ଭାରତରେ ଡଲାର ନିୟୁତପତି ଓ ଅରବପତିଙ୍କ ସଂଖ୍ୟା ୮୦ ପ୍ରତିଶତ ବୃଦ୍ଧି ପାଇବ। ଏହା ତୁଳନାରେ ଆମେରିକାରେ ୨୦ ପ୍ରତିଶତ ଏବଂ ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଓ ବ୍ରିଟେନରେ ୧୦ ପ୍ରତିଶତ ବଢ଼ିବ ବୋଲି କୁହାଯାଇଛି। ଡଲାର ମିଲିଅନେୟାରଙ୍କ ପ୍ରବେଶ ଓ ପ୍ରସ୍ଥାନକୁ ହିସାବ କଲେ ଚଳିତ ବର୍ଷ ପ୍ରାୟ ୮ ହଜାର ଧନୀଙ୍କୁ ଭାରତ ହରାଇପାରେ ବୋଲି କୁହାଯାଉଛି। ଏହା ତୁଳନାରେ ଦେଶରେ ଅଧିକ ନୂଆ ନିୟୁତପତି ସୃଷ୍ଟି ହେବେ। ଏହା ବ୍ୟତୀତ ଦେଶରେ ଜୀବନଧାରଣ ମାନରେ ଉନ୍ନତି ହେଲେ ଅଧିକ ଧନୀ ଭାରତ ଫେରିବେ ବୋଲି ରିପୋର୍ଟରେ କୁହାଯାଇଛି। ଚଳିତ ବର୍ଷ ୟୁଏଇ ସର୍ବାଧିକ ନିବେଶ ଆକୃଷ୍ଟ କରିବ। ଏହା ପଛକୁ ଅଷ୍ଟ୍ରେଲିଆ, ସିଙ୍ଗାପୁର, ଇସ୍ରାଏଲ୍‌ ଓ ସୁଇଜରଲାଣ୍ଡ ରହିବ ବୋଲି ହେନ୍‌ଲି ପ୍ରାଇଭେଟ ଓ୍ବେଲ୍‌ଥ ମାଇଗ୍ରେଶନ ଡ୍ୟାସ୍‌ବୋର୍ଡ ପୂର୍ବାନୁମାନ କରିଛି।

Share