ବିଲାସପୁର,୨୪।୧: ହିମାଚଳ ପ୍ରଦେଶର ବିଲାସପୁରସ୍ଥିତ ଏକ ବୃଦ୍ଧାଶ୍ରମରେ ଏକ ନିଆରା ବିବାହ ଅନୁଷ୍ଠିତ ହେବାକୁ ଯାଉଛି। ୭୫ ବର୍ଷ ବୟସରେ ବର ସାଜିବେ କହ୍ନେୟାଲାଲ। ତାଙ୍କର ୬୩ ବର୍ଷୀୟା କନ୍ୟା ସବିନା ମଧ୍ୟ ବିବାହ ପାଇଁ ପ୍ରସ୍ତୁତ ଅଛନ୍ତି। ନିଜ ଲୋକଙ୍କ ଦ୍ୱାରା ଅବହେଳିତ ହୋଇ ବୃଦ୍ଧାଶ୍ରମରେ ରହୁଥିବା ଏହି ଦୁଇ ବରିଷ୍ଠ ନାଗରିକ ପୁଣିଥରେ ସଂସାର ଗଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।
କହ୍ନେୟାଲାଲ ହିମାଚଳ ପ୍ରଦେଶର ମଣ୍ଡି ଜିଲା ଜଞ୍ଜୈହଲି ଅଞ୍ଚଳର ଥୁନାଗ ଗାଁର ବାସିନ୍ଦା। ବର୍ତ୍ତମାନ ସେ ବିଲାସପୁରର ଦୟୋଲିସ୍ଥିତ ‘ଅପନା ଘର’ ବୃଦ୍ଧାଶ୍ରମରେ ରହୁଛନ୍ତି। ଅନ୍ୟପକ୍ଷରେ ସବିନା କୋଲକାତାର ବାସିନ୍ଦା। ବୃଦ୍ଧାଶ୍ରମରେ କିଛି ଦିନ ଏକାଠି ରହିବା ପରେ ଉଭୟ ବାକି ଜୀବନ ପରସ୍ପର ସହ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର ସକାଳେ ବିଲାସପୁର କୋର୍ଟରେ ଉଭୟଙ୍କ ବିବାହ ପଞ୍ଜୀକରଣ ହେବ। ଏହାପରେ ବୃଦ୍ଧାଶ୍ରମକୁ ଫେରି ହିନ୍ଦୁ ରୀତିନୀତି ଅନୁସାରେ ବିବାହ ଉତ୍ସବ ପାଳନ କରାଯିବ।
କହ୍ନେୟାଲାଲଙ୍କ କହିବା ଅନୁଯାୟୀ, ସେ ଗାଁରେ ଚାଷବାସ କରି ଜୀବନ ବିତାଉଥିଲେ। ତାଙ୍କର ପତ୍ନୀ ଥିଲେ, କିନ୍ତୁ କୌଣସି ସନ୍ତାନ ନ ଥିଲେ। ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ ଭାଇମାନେ ଚାଷଜମି ନିଜ ନାମକୁ କରାଇ ନେଇଥିଲେ। ହେଲେ ତାଙ୍କ ଦେଖାଶୁଣା କରିବା ପରିବର୍ତ୍ତେ ବୃଦ୍ଧାଶ୍ରମରେ ଛାଡ଼ି ଦେଇଥିଲେ।
ସେହିପରି ସବିନା କୋଲକାତାରୁ ଶିମଳା ବୁଲିବାକୁ ଆସିଥିବା ବେଳେ ରାସ୍ତା ଭୁଲି ଯାଇଥିଲେ। ତାଙ୍କର ମାନସିକ ସ୍ଥିତି ମଧ୍ୟ ଠିକ ନ ଥିଲା। ତେଣୁ ତାଙ୍କୁ ମଶୋବରାସ୍ଥିତ ନାରୀ ନିକେତନକୁ ପଠାଯାଇଥିଲା। ସେଠାରୁ ୨୦୨୫ରେ ତାଙ୍କୁ ଦୟୋଲିସ୍ଥିତ ‘ଅପନା ଘର’ ବୃଦ୍ଧାଶ୍ରମକୁ ଅଣାଯାଇଥିଲା। ଏହିଠାରେ ହିଁ କହ୍ନେୟାଲାଲଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ଉଭୟ ପରସ୍ପରର ଜୀବନସାଥୀ ହେବାକୁ ନିଷ୍ପତ୍ତି ନେଇଥିଲେ।
‘ଅପନା ଘର’ ବୃଦ୍ଧାଶ୍ରମର ପ୍ରତିଷ୍ଠାତା ତଥା ଆଇନଜୀବୀ ପ୍ରକାଶ ବଂଶଲଙ୍କ କହିବା ଅନୁଯାୟୀ, କହ୍ନେୟାଲାଲ ଓ ସବିନା ନିଜ ବିବାହ ପ୍ରସ୍ତାବ ତାଙ୍କ ସମ୍ମୁଖରେ ରଖିଥିଲେ। ଉଭୟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ସେ ବିବାହର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ହିମାଚଳ ପ୍ରଦେଶରେ କୌଣସି ବୃଦ୍ଧାଶ୍ରମରେ ଦୁଇ ବରିଷ୍ଠ ନାଗରିକ ଜୀବନସାଥୀ ହେବାର ଏହା ପ୍ରଥମ ଘଟଣା। ନଭେମ୍ବର ୨୫ ତାରିଖରେ ଉଭୟଙ୍କ ବିବାହ ଅନୁଷ୍ଠିତ ହେବ।