୪ ମାସରେ ଗାର୍ଡଓ୍ବାଲ୍‌ ଫାଟି ଆଁ

ରାସୋଳ,୧୮ା୫(ଡି.ଏନ୍‌.ଏ.):ସୁରକ୍ଷା ପାଚେରି ହେବା କଥା କଂକ୍ରିଟ୍‌ରେ। ହେଲେ ନିୟମକୁ ଫୁ’ କରି ମାଙ୍କଡ଼ା ପଥରରେ ଉଠାଇଦେଲେ ଓ୍ବାଲ୍‌। ଫଳରେ ମାତ୍ର ୪ ମାସ ନ ବିତୁଣୁ ପାଚେରି ଫାଟି ଆଁ କଲାଣି। ମୂଳଦୁଆ ଠିକ୍‌ ଭାବେ ନିର୍ମାଣ ହୋଇ ନ ଥିବାରୁ କେଉଁ ମୁହୂର୍ତ୍ତରେ ଭୁଶୁଡ଼ିଯିବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇପାରୁ ନାହିଁ। ଜିଲା ପରିଷଦ ପାଣ୍ଠି ଅନୁଦାନ ଅର୍ଥ ହରିଲୁଟ୍‌ କରି ନିମ୍ନମାନର କାର୍ଯ୍ୟ କରାଯାଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବୁହାଳିପାଳ ଅଞ୍ଚଳର ବୁଦ୍ଧିଜୀବୀ।
ସ୍ଥାନୀୟ ବାନାବିରି ବନ୍ଧର ସୁରକ୍ଷା ପାଚେରି ନିର୍ମାଣ ପାଇଁ ଜିଲା ପରିଷଦ ଉନ୍ନୟନ ପାଣ୍ଠିରୁ ୩ ଲକ୍ଷ ୬୪ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ବିଭାଗୀୟ ଯନ୍ତ୍ରୀଙ୍କ ନାମରେ ଓ୍ବାର୍କ ଅର୍ଡର ଥିବାବେଳେ ୪ନଂ. ଜିଲା ପରିଷଦ ସଭ୍ୟା ଊର୍ମିଳା ବେହେରାଙ୍କ ସ୍ବାମୀ ଦେବରାଜ ବେହେରା ଠିକାଦାର ଭାବେ ଏହି କାମ କରିଥିଲେ। ହେଲେ ସୁରକ୍ଷା ପାଚେରି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବୁହାଳିପାଳ ଗ୍ରାମର କେତେଜଣ ବ୍ୟକ୍ତି ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ୨୦୨୨-୨୩ ଆର୍ଥିକ ବର୍ଷରେ ଏହି କାମ ହୋଇଛି। ସୁରକ୍ଷା ପାଚେରି କଂକ୍ରିଟ୍‌ରେ କରିବା ବଦଳରେ ମାଙ୍କଡ଼ା ପଥରରେ ହୋଇଛି। ତଳଭାଗ ପ୍ଲାଷ୍ଟର ହୋଇନାହିଁ। ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ମାତ୍ର କେଇଟା ମାସରେ ପାଚେରିରେ ଫାଟ ସୃଷ୍ଟି ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଜିଲା ପରିଷଦ ସଭ୍ୟାଙ୍କ ମୋବାଇଲ୍‌କୁ ଯୋଗାଯୋଗ କରାଯାଇଥିବାବେଳେ ତାଙ୍କ ସ୍ବାମୀ ତଥା କାମ କରିଥିବା ଠିକାଦାର ଦେବରାଜ ବେହେରା ଫୋନ୍‌ ଉଠାଇଥିଲେ। ତାଙ୍କୁ ଏ ସମ୍ପର୍କରେ ପଚାରିବାରେ ସେ କହିଛନ୍ତି, ଯାହା କାମ ହୋଇଛି ଠିକ୍‌ ଅଛି। ଆମେ ଜିଲାପାଳଙ୍କ ନିକଟରେ ବସାଉଠା ହେଉଛୁ। ଆମର କିଏ କିଛି କରିପାରିବ ନାହିଁ ବୋଲି ସେ ଓଲଟା ଯୁକ୍ତି ବାଢ଼ିଥିଲେ। ଏ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସିଲା ସୌମ୍ୟାଙ୍କ ପ୍ରତିକ୍ରିୟା ଲୋଡ଼ିବାରେ ସେ କୁହନ୍ତି, ଅଭିଯୋଗର ତଦନ୍ତ ସେ ନିଜେ କରିବେ। ଏ ନେଇ ବିଡିଓ ଶିବଶଙ୍କର ମିଶ୍ରଙ୍କୁ ତାଙ୍କ ମୋବାଇଲ ନମ୍ବର ୬୩୭୨୬୫୧୯୯୭ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ତେଣୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।