Odisha Elections 2024
Posted inଫୁରସତ

ଅସୁରକୁମାରୀ

ନୟାଗଡ଼ ଜିଲା ରଣପୁର ବ୍ଲକ ଅଧିନ ବଜ୍ରକୋଟ ଅଞ୍ଚଳର ଏକ ସଂରକ୍ଷିତ ଜଙ୍ଗଲରେ ରହିଛି ମା’ ଅସୁରକୁମାରୀଙ୍କ ପବିତ୍ରପୀଠ। ଏହି ଜଙ୍ଗଲରେ ଶାଳ, ଶାଗୁଆନ, କେନ୍ଦୁ, କୋଚିଲା, ପିଆଶାଳ, ଅଶନ ଆଦି ବହୁ ଔଷଧୀୟ ବୃକ୍ଷଲତା ରହିଥିବା ବେଳେ ଏଠାକାର ପରିବେଶରେ ଉଡ଼ନ୍ତାମୂଷା, ମୟୂର, ଠେକୁଆ, ହରିଣ ଓ ନାନା ପ୍ରଜାତିର ଜଙ୍ଗଲି ପକ୍ଷୀ ଆଦି ଦେଖିବାକୁ ମିଳିଥାନ୍ତି। ଅନ୍ୟପକ୍ଷେ ଏଠାରେ ଥିବା ଗୁମ୍ଫା, ଖୋଲ, ଜଳପ୍ରପାତ ଓ ଝରଣାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବିମୁଗ୍ଧ କରିଥାଏ। ଗଛ, ଡାଳପତ୍ର ଘେରା ପ୍ରସ୍ତର ଉପର ଦେଇ ପାହାଡ଼ ଚଢ଼ିବାରେ ଏଠାରେ ଥାଏ ନିଆରା ଆନନ୍ଦ। ଶୁଣାଯାଏ, ପୂର୍ବେ ଏହି ଜଙ୍ଗଲରେ କଲରାପତରିଆ ବାଘ ରହୁଥିଲେ କିନ୍ତୁ ଏବେ ଆଉ ଦେଖାଯାଉ ନାହାନ୍ତି। ହେଲେ ଏହି ଜଙ୍ଗଲରୁ ରଥଯାତ୍ରା ପାଇଁ ଧଉରା ଗଛର କାଠ ସଂଗ୍ରହ କରାଯାଉଥିବା ସୂଚନା ରହିଛି।
ନାମକରଣକୁ ନେଇ ଲୋକକଥା
ଏହି ସ୍ଥାନଟିର ଏପରି ନାମକରଣକୁ ନେଇ ସ୍ଥାନୀୟ ଲୋକେ ଭିନ୍ନ ଭିନ୍ନ ମତ ଦେଇଥାନ୍ତି। କେହି କେହି କୁହନ୍ତି, ବହୁବର୍ଷ ପୂର୍ବେ ଏହି ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ସେତେବେଳେ ଏଠାରେ ଜଣେ ଅସୁର ରହୁଥିଲା। ସେ ଲୋକମାନଙ୍କୁ ନିପାତ କରୁଥିଲା। ତା’ ଡରରେ ଲୋକେ ତ୍ରାହି ତ୍ରାହି ଡାକୁଥିଲେ। ଲୋକଙ୍କ ଆକୁଳ ପ୍ରାର୍ଥନା ଶୁଣି ଦେବୀ ଅସୁରକୁ ନିଧନ କଲେ। ପରେ ସେହି ଗୁମ୍ଫା ମଧ୍ୟରେ ଦେବୀ କେଉଁଆଡେ ଅଦୃଶ୍ୟ ହୋଇଗଲେ। ଯେଉଁ ସ୍ଥାନରେ ଦେବୀ ଅସୁରକୁ ବଧ କରିଥିଲେ ସେଠାରେ ଏକ ପଥର ଉପରେ ଦେବୀଙ୍କ ଆଣ୍ଠୁଚିହ୍ନ ଥିବାରୁ କ୍ରମେ ଦେବୀଙ୍କ ନାମ ‘ଅସୁରକୁମାରୀ’ ହୋଇଥିଲା ବୋଲି ଅନେକେ ମତ ଦେଇଥାନ୍ତି। ଆଉ କେହି କେହି କୁହନ୍ତି, ଉକ୍ତ ଅସୁରର ଝିଅର ନାଁ ଥିଲା ଅସୁରକୁମାରୀ। ତା’ର ଶେଷ ଇଚ୍ଛା ଥିଲା, ମୃତ୍ୟୁ ପରେ ସେହି ସ୍ଥାନଟି ତା’ ଝିଅ ନାଁରେ ପରିଚିତ ହେଉ। ହୁଏତ ସେଥିପାଇଁ ଏହି ସ୍ଥାନଟିର ନାମ ଅସୁରକୁମାରୀ ହୋଇଛି।
ସ୍ଥାନଟିର ପ୍ରାକୃତିକ ଦୃଶ୍ୟ
ଏହି ସ୍ଥାନରେ ଥିବା ଦୁଇଟି ବଡ଼ ପଥରର ମଧ୍ୟ ସ୍ଥଳରେ ଏକ ଝରଣା ପ୍ରବାହିତ ହେଉଛି। ତା’ରି ଭିତରେ ଦେବୀଙ୍କର ଏକ ମୂର୍ତ୍ତି ଅସୁର ଉପରେ ଶୋଭା ପାଉଛି। ଜଳପ୍ରପାତର ପାଦଦେଶରେ ରହିଛି ଅସୁରକୁମାରୀ ଦେବୀଙ୍କ ମନ୍ଦିର। ନିକଟରେ ରହିଛି ଏକ ସ୍ନାନ କୁଣ୍ଡ। ଏହାକୁ ‘କାମନା ଦାୟିନୀ କୁଣ୍ଡ’ କୁହାଯାଏ। ଏଠାରେ ସ୍ନାନ କଲେ କୁଆଡ଼େ ପାଳିଜ୍ୱର ସମେତ ଅନ୍ୟ ସମସ୍ତ ପ୍ରକାର ଜ୍ୱରରୁ ଉପଶମ ମିଳିଥାଏ। କେବଳ ସେତିକି ନୁହେଁ, ଏହି କୁଣ୍ଡର ଜଳ ବନ୍ଧ୍ୟାଦୋଷ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି। ସେଥିପାଇଁ ପ୍ରତି ମଙ୍ଗଳବାର ଓ ଶନିବାର ଦିନ ଏହି କୁଣ୍ଡରେ ଗାଧୋଇବା ପାଇଁ ବଡ଼ି ଭୋରରୁ ବହୁ ସଂଖ୍ୟାରେ ମାନସିକଧାରୀ ଶ୍ରଦ୍ଧାଳୁମାନଙ୍କର ସମାଗମ ହୋଇଥାଏ। ତା’ଛଡ଼ା ଏହି କାମନା ଦାୟିନୀ କୁଣ୍ଡରୁ ଜଳ ନିର୍ଗତ ହୋଇ ପ୍ରବେଶ ପଥର ଦୁଇପାର୍ଶ୍ୱରେ ଥିବା ପୁଷ୍କରିଣୀରେ ମିଶିଥାଏ। ଏଥିସହିତ ନିକଟରେ ପ୍ରବାହିତ ହେଉଥିବା ମନ୍ଦାକିନୀ ନଦୀର ଜଳ ସ୍ଥାନୀୟ ଅଞ୍ଚଳର ଶସ୍ୟକ୍ଷେତ୍ରରେ ଜଳସେଚିତ ହୋଇଥାଏ।
ମା’ଙ୍କ ମହିମା
ଏଠାରେ ପୂଜା ପାଉଥିବା ଦେବୀ ଅସୁରକୁମାରୀ କୁଆଡ଼େ ଖୁବ୍‌ ପ୍ରତ୍ୟକ୍ଷ। ତାଙ୍କ ନିକଟରେ ମାନସିକ ରଖିଲେ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ତେଣୁ ମାନସିକଧାରୀମାନେ ଗୁଆ, ଅରୁଆ ଚାଉଳ, ସିନ୍ଦୂର, ଧୂପକାଠି ଧରି ମା’ଙ୍କ ପାଖରେ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥାନ୍ତି। ପ୍ରତ୍ୟେକ ବର୍ଷ ମାଘମାସରେ ମା’ଙ୍କ ପୀଠରେ ଯଜ୍ଞୋତ୍ସବ ଓ ସ୍ବତନ୍ତ୍ର ପର୍ବ ପାଳନ କରାଯାଇଥାଏ। ଏହି ସମୟରେ ସ୍ଥାନୀୟ ବଜ୍ରକୋଟ ସମେତ ରଣପୁର ଗଡ଼ଜାତର ପଞ୍ଚୁପଲ୍ଲୀ ପ୍ରଗଣା ଅନ୍ତର୍ଗତ ସାନପଡ଼ା, ବାଉଁଶଗଡ଼, ଶ୍ରୀକୃଷ୍ଣପୁର, ଗୌଡ଼ିଆପଡ଼ା, ବିଲଗାଡ଼ିଆ, ଭେରୁପଡ଼ା, କ୍ଷତ୍ରିବରପୁର, ଶଙ୍ଖମୂଳ, ବରମୂଳ ଓ ଗୌରାଙ୍ଗପୁର ଆଦି ଗ୍ରାମବାସୀ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି।
କେବେ ଯିବେ
ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ, ମୁଖ୍ୟତଃ ରବିବାର ତଥା ଛୁଟିଦିନମାନଙ୍କରେ ଏଠାରେ ଶ୍ରଦ୍ଧାଳୁମାନଙ୍କର ବେଶ୍‌ ଭିଡ଼ ଦେଖିବାକୁ ମିଳେ। ବିଭିନ୍ନ ପର୍ବପର୍ବାଣୀ ସମୟରେ ହେଉ ଅଥବା ପିକ୍‌ନିକ୍‌ ଋତୁ ଆସିଲେ ଏହି ସ୍ଥାନଟି ବେଶ୍‌ ଚଳଚଞ୍ଚଳ ହୋଇ ଉଠେ। ତେବେ ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ମା’ଙ୍କ ଦର୍ଶନ ସାଙ୍ଗକୁ ଏଠାକାର ପ୍ରାକୃତିକ ଜଙ୍ଗଲ ପରିବେଶ ଓ ଜଳପ୍ରପାତର ଅପୂର୍ବ ଶୋଭାକୁ ବେଶ୍‌ ଉପଭୋଗ କରିଥାନ୍ତି। ଏଠାରେ ବଣଭୋଜିର ମଜା ମଧ୍ୟ ନେଇଥାନ୍ତି। ସେଥିପାଇଁ ଏହି ସ୍ଥାନଟିର ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି। ତେବେ ସରକାରଙ୍କ ସହଯୋଗରେ ଯଦି ଏହି ପବିତ୍ର ସ୍ଥାନରେ ଯାତ୍ରୀନିବାସ ସହିତ ଆଉ କିଛିଟା ବିକାଶମୂଳକ କାର୍ଯ୍ୟ ହୋଇପାରନ୍ତା ତା’ହେଲେ ଉକ୍ତ ପର୍ଯ୍ୟଟନସ୍ଥଳୀଟିର ଖ୍ୟାତି ଅନେକାଂଶରେ ବଢି ପାରନ୍ତା।

-ସତ୍ୟବାଦୀ ବଳିଆରସିଂହ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

ବଟର ଚିକେନ୍‌ ଉଦ୍ଭାବକ କିଏ

ନୂଆଦିଲ୍ଲୀ,୧୮ା୫: ବଟର ଚିକେନ୍‌ ହେଉଛି ତନ୍ଦୁରରେ ରନ୍ଧାଯାଉଥିବା ଚିକେନ୍‌ ପିସ୍‌ଗୁଡ଼ିକୁ ଟମାଟୋ, କ୍ରିମ୍‌ ଓ ବଟର ସହ ମିଶ୍ରଣ କରି ପ୍ରସ୍ତୁତ କରାଯାଉଥିବା ଏକ ବ୍ୟଞ୍ଜନ।...

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri