ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ ରହିବ । ଏହି ଘଟଣାକୁ ବିଜ୍ଞାନରେ ‘ଅଟମ୍ନାଲ ଇକ୍ୱିନକ୍ସ’ ବା ‘ଶରଦ ବିଷୁବ’ କୁହାଯାଏ। ଏହାପରଠାରୁ ଉତ୍ତର ଗୋଲାର୍ଦ୍ଧ, ଅର୍ଥାତ୍ ଭାରତରେ ମଧ୍ୟ, ଦିନ ଧୀରେ ଧୀରେ ଛୋଟ ଏବଂ ରାତି ଲମ୍ବା ହେବା ଆରମ୍ଭ କରିବ।
ପୃଥିବୀ ନିଜ ଅକ୍ଷରେ ପ୍ରାୟ ୨୩.୫ ଡିଗ୍ରୀ ଢଳି ରହି ସୂର୍ଯ୍ୟକୁ ପରିକ୍ରମା କରୁଛି । ଏହା ଯୋଗୁଁ ବର୍ଷର ବିଭିନ୍ନ ସମୟରେ ଉତ୍ତର ଓ ଦକ୍ଷିଣ ଗୋଲାର୍ଦ୍ଧରେ ସୂର୍ଯ୍ୟକିରଣର ପ୍ରଭାବରେ ପରିବର୍ତ୍ତନ ହୁଏ । ବର୍ଷରେ ଦୁଇଥର ଏଭଳି ସମୟ ଆସେ, ଯେତେବେଳେ ସୂର୍ଯ୍ୟଙ୍କ କିରଣ ଭୂମଧ୍ୟରେଖା ଉପରେ ପ୍ରାୟ ସିଧା ପଡ଼େ। ମାର୍ଚ୍ଚରେ ଏହାକୁ ‘ଭର୍ନାଲ ଇକ୍ୱିନକ୍ସ’ ଏବଂ ସେପ୍ଟେମ୍ବରରେ ‘ଅଟମ୍ନାଲ ଇକ୍ୱିନକ୍ସ’ କୁହାଯାଏ।
୨୩ ସେପ୍ଟେମ୍ବର ପରେ ସୂର୍ଯ୍ୟଙ୍କ ଦୃଶ୍ୟମାନ ଅବସ୍ଥାନ ଦକ୍ଷିଣ ଗୋଲାର୍ଦ୍ଧ ଦିଗକୁ ସରିବା ଆରମ୍ଭ କରେ । ଫଳରେ ଉତ୍ତର ଗୋଲାର୍ଦ୍ଧରେ ସୂର୍ଯ୍ୟକିରଣ ଅଧିକ ତିର୍ଛା ଭାବେ ପଡ଼ିଥାଏ। ଏହା ସହିତ ଦିନର ଆଲୋକ ସମୟ ଧୀରେ ଧୀରେ କମିଥାଏ ଏବଂ ରାତିର ସମୟ ବଢ଼ିଥାଏ । ସାଧାରଣ ଧାରଣା ଅନୁଯାୟୀ ଏହି ଦିନ ଦିନ ଓ ରାତି ୧୨-୧୨ ଘଣ୍ଟା ହୁଏ। ତେବେ ବାସ୍ତବରେ ଏହା ଠିକ୍ ୧୨ ଘଣ୍ଟା ହୋଇନଥାଏ। ବାୟୁମଣ୍ଡଳରେ ସୂର୍ଯ୍ୟକିରଣର ପ୍ରତିସରଣ ଯୋଗୁଁ ସୂର୍ଯ୍ୟୋଦୟ କିଛି ସମୟ ପୂର୍ବରୁ ଦେଖାଯାଏ ଏବଂ ସୂର୍ଯ୍ୟାସ୍ତ ପରେ ମଧ୍ୟ କିଛି ସମୟ ସୂର୍ଯ୍ୟ ଦୃଶ୍ୟମାନ ରହେ।
ସେଥିପାଇଁ ବାସ୍ତବିକ ଭାବେ ଦିନ ଓ ରାତି ସମାନ ସମୟ ହେବାର ଦିନଟି ଶରଦ ବିଷୁବର କିଛି ଦିନ ପରେ ଆସିଥାଏ। ଅଞ୍ଚଳ ଅନୁଯାୟୀ ଏହି ସମୟରେ କିଛି ମିନିଟ୍ର ଫରକ ମଧ୍ୟ ଦେଖାଯାଏ। ଶରଦ ବିଷୁବ ପରେ ଉତ୍ତର ଗୋଲାର୍ଦ୍ଧରେ ଧୀରେ ଧୀରେ ଦିନ ଛୋଟ ହେବା ସହ ସକାଳ ଓ ସନ୍ଧ୍ୟା ସମୟରେ ହାଲୁକା ଥଣ୍ଡା ଅନୁଭୂତ ହେବା ଆରମ୍ଭ ହୋଇଥାଏ। ଏହି ସମୟକୁ ଶରତ ଋତୁର ଆଗମନ ସହ ମଧ୍ୟ ଯୋଡ଼ାଯାଏ।