ସମିତି ବୈଠକରେ ହଟ୍ଟଗୋଳ

ହିନ୍ଦୋଳ,୪।୨(ଡି.ଏନ.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ସଭାଗୃହ ପରିସରରେ ଶୁକ୍ରବାର ସମିତିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ସମସ୍ୟା ସମାଧାନ ହେଉ ନ ଥିବା ଏବଂ ସମିତିସଭ୍ୟଙ୍କୁ ଅଣଦେଖା କରାଯାଉଥିବା ପ୍ରତିବାଦରେ ହଟ୍ଟଗୋଳ ହୋଇଥିଲା। ବିଡିଓ ଶିବ ଶଙ୍କର ମିଶ୍ର ସ୍ବାଗତ ଭାଷଣ ଏବଂ ସମିତି ଅଧ୍ୟକ୍ଷା ସସ୍ମିତା ନାୟକ ସଭା କାର୍ଯ୍ୟ ପରିଚାଳନା କରିଥିଲେ। କୁକୁଟା ସମିତିସଭ୍ୟ ପ୍ରିୟରଞ୍ଜନ ମାହୁନ୍ତ ପୂର୍ବ ଅଧିବେଶନରେ ହୋଇଥିବା ପ୍ରସ୍ତାବ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ପାଇଁ ଦାବି କରିଥିଲେ। ସେହିପରି ବୈଠକ ଚାଲିଥିବାବେଳେ ପଞ୍ଚାୟତ ସଭ୍ୟସଭ୍ୟାଙ୍କ ଦସ୍ତଖତ କରାଯାଇଥିବା ନେଇ ପ୍ରିୟରଞ୍ଜନ ଆପତ୍ତି ଉଠାଇଥିଲେ। ଏଥିସହ ସମିତି ପାଣ୍ଠି ଆବଣ୍ଟନରେ ପାତରଅନ୍ତର, ୧୭ ପଞ୍ଚାୟତକୁ ଅନୁଦାନ ଦିଆଯାଇ ନ ଥିବା ଅଭିଯୋଗ କରିଥିଲେ। ନୂଆବଗ ସରପଞ୍ଚ ମାନସ ଦେହୁରୀ ଡିଲର ନିଯୁକ୍ତି, ପିଏମ୍‌ ଯୋଜନା, ପାନୀୟଜଳ ଯୋଗାଣ ସମସ୍ୟା ପ୍ରସଙ୍ଗ ଉଠାଇଥିଲେ। କୁଟୁଣିଆ ସମିତି ସଭ୍ୟ ହେମନ୍ତ ସାହୁ, କାରନ୍ଦା ସରପଞ୍ଚ ଦୁଷ୍ମନ୍ତ ନାୟକ, ଜରଡ଼ା ସରପଞ୍ଚ ଜ୍ଞାନରଞ୍ଜନ ସାହୁ, ସଞ୍ଜପଡା ସରପଞ୍ଚ ନିଜ ପଞ୍ଚାୟତ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ। ଏହି ସବୁର ଆଶୁ ସମାଧାନ କରାଯିବ ବୋଲି ଅଧ୍ୟକ୍ଷା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ୍‌ପିଙ୍କ ପ୍ରତିନିଧି ଅନସୂୟା ମାହୁନ୍ତ, ଉପାଧ୍ୟକ୍ଷ ବରୁଣ ସର, ସମସ୍ତ ଜିଲା ପରିଷଦ ସଭ୍ୟ, ସରପଞ୍ଚ, ସମିତିସଭ୍ୟ, ବିଭିନ୍ନ କାର୍ଯ୍ୟାଳୟର ସରକାରୀ ପଦାଧିକାରୀ ଉପସ୍ଥିତ ଥିଲେ।