ଭିଜିଲାନ୍ସ ଜାଲରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ

ରାୟଗଡ଼ା ଅଫିସ,୯ା୧: ରାୟଗଡ଼ା ଜିଲା କୋଲନରା ବ୍ଲକର ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି।

ରବିବାର ରାତିରେ କିଶୋର ଚନ୍ଦ୍ର ବୁଲେଟ୍‌ ଯୋଗେ ରାୟଗଡ଼ାସ୍ଥିତ ତାଙ୍କ ଭଡ଼ା ଘରକୁ ଫେରୁଥିବା ବେଳେ ରାସ୍ତାରେ ଅଟକାଇଥିଲେ ଭିଜିଲାନ୍ସ ଟିମ୍‌। ଯାଞ୍ଚ ବେଳେ ତାଙ୍କ ନିକଟରୁ ୫ ଲକ୍ଷ ୪ ହଜାର ୫୬୦ ଟଙ୍କା ବାହାରିଥିଲା। ଏକ ବ୍ୟାଗ୍‌ରେ ସେ ଏହି ଟଙ୍କା ରଖିଥିଲେ। ଏତେ ଟଙ୍କା ସେ କେଉଁଠୁ ଆଣିଲେ ବୋଲି ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ପଚାରିଥିଲେ। ତେବେ କିଶୋର ଚନ୍ଦ୍ର ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ।

ଏହା ପରେ ଭିଜିଲାନ୍ସ ଟିମ୍‌ ମଙ୍ଗଳା ମନ୍ଦିର ନିକଟସ୍ଥ ତାଙ୍କ ଭଡ଼ା ଘରେ ଚଢ଼ାଉ କରିଥିଲା। ସେଠାରେ ଯାଞ୍ଚ ବେଳେ ନଗଦ ୬ ଲକ୍ଷ ୩୦ ହଜାର ଟଙ୍କା ମିଳିଥିଲା। ତାଙ୍କ ନିକଟରୁ ମୋଟ୍‌ ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ ହୋଇଛି।