ଦିଗପହଣ୍ଡି,୧।୧୧(ଅଶେଷ ନାଥ ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏଭଳିସ୍ଥିତିରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରବିବାର ବିଜୁ ଜନତା ଦଳ ରାଜ୍ୟସ୍ତରୀୟ ପ୍ରତିନିଧି ଦଳ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କରାଖଣ୍ଡି, ବଉଳଘାଇ, ଆଡପଡ଼ା, ଡେଙ୍ଗାଡ଼ି, କଙ୍କୋରୋଡା, କଉଡିଆ, ବାଲିଆ, ସାହାସପୁର ପ୍ରଭୃତି ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।
ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଶ୍ରୀକାନ୍ତ ସାହୁ, ବିଜେଡି ଗଞ୍ଜାମ ଜିଲା ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଲତିକା ପ୍ରଧାନ, ନନ୍ଦିନୀ ଦେବୀ, ସୁବାସ ମହାରଣା, ବିପ୍ଳବ ପାତ୍ର, ଯୁବ ବିଜେଡ଼ି ରାଜ୍ୟ ସଭାପତି ଚିନ୍ମୟ ସାହୁ, ଯୋଗେନ୍ଦ୍ର ସ୍ବାଇଁ, ବ୍ଲକ ଅଧ୍ୟକ୍ଷ ସୀମାଞ୍ଚଳ ପାତ୍ର, ଉପାଧ୍ୟକ୍ଷା ରିଙ୍କି ନାହାକଙ୍କ ସମେତ ଦଳୀୟ ନେତୃବୃନ୍ଦ ସାମିଲ ଥିଲେ।
ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ସହିତ ଲୋକଙ୍କ ଦୁର୍ଦ୍ଦଶା ଦେଖି ବନ୍ୟା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ବିଫଳତା ନେଇ ବର୍ଷିଥିଲେ। ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆସିକା ଏମ୍ପି କିମ୍ବା ଭାଜପା ନେତୃବୃନ୍ଦଙ୍କ ଦେଖା ନ ମିଳିବା ନେଇ ଲୋକେ ଅଭିଯୋଗ କରିଥିଲେ।
ବିପନ୍ନମାନଙ୍କୁ ତୁରନ୍ତ ରିଲିଫ ପ୍ରଦାନ ସହ ରନ୍ଧନ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ବାସ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ କରିବା, ରାସ୍ତା ମରାମତି, ଚାଷୀଙ୍କୁ ଋଣ ଛାଡ ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବା ସହ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସେମାନେ ଦାବି କରିଛନ୍ତି। ଅଞ୍ଚଳବାସୀଙ୍କ ଦୁର୍ଦ୍ଦିନ ସମୟରେ ସରକାରଙ୍କ ପକ୍ଷରୁ ସହାୟତା ପରିବର୍ତ୍ତେ ବିଫଳତାକୁ ନେଇ ବିଜେଡି ଲୋକଙ୍କ ପାଖରେ ପହଞ୍ଚିବ ଏବଂ ସବୁ ସମୟରେ ସହାୟତା କରିବ ବୋଲି ପ୍ରତିନିଧି ଦଳର ସଦସ୍ୟ ବୃନ୍ଦ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।