ରାସ୍ତାରେ ଅଟକାଇ ଦମ୍ପତିଙ୍କୁ ଆକ୍ରମଣ, ଯୁବତୀଙ୍କୁ ଛୁରାମାଡ଼

ମୁରିବାହାଲ, ୫ା୧୦(ଶ୍ରୀବତ୍ସ ବେହେରା): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଗଁରେଇ ପଞ୍ଚାୟତ ସିଲେଟପଡାର ଦୀନେଶ ତାଣ୍ଡି ଓ ତାଙ୍କ ସ୍ତ୍ରୀ ମେଘା ତାଣ୍ଡି(୨୦) ଗୁରୁବାର ଗଁରେଇ ସାପ୍ତାହିକ ବଜାରରୁ ଫେରୁଥିଲେ। ପଟାମୁଣ୍ଡା ଗାଁ ରାସ୍ତାର ଏକ ନିଛାଟିଆ ସ୍ଥାନରେ ସିଲେଟପଡାର ଗଣେଶ ତାଣ୍ଡି, ଗୌତମ ତାଣ୍ଡି, ମୁଟୁ ତାଣ୍ଡି ଓ ଅନ୍ୟ ୫ଜଣ ସେମାନଙ୍କୁ ରାସ୍ତାରେ ଅଟକାଇଥିଲେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ସେମାନଙ୍କୁ ମାରପିଟ କରିଥିଲେ। ରାସ୍ତାରେ ଯାଉଥିବା କେତେକ ବ୍ୟକ୍ତିଙ୍କ ହସ୍ତକ୍ଷେପ ପରେ ତାଣ୍ଡି ଦାମ୍ପତି ଜୀବନ ବଞ୍ଚାଇ ଘରକୁ ଫେରିଥିଲେ। ପରେ ଅଭିଯୁକ୍ତମାନେ ଦୀନେଶଙ୍କ ଘରକୁ ଆସି ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ଦୀନେଶଙ୍କ ଭଉଣୀ ବର୍ଷା (୧୭) ସେଠାକୁ ଚାଲି ଆସିବାରେ ଅଭିଯୁକ୍ତମାନେ ତାଙ୍କୁ ଛୁରାରେ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଏ ନେଇ ମୁରିବାହାଲ ଥାନାରେ ଅଭିଯୋଗ ପରେ ଏକ ମାମଲା(୨୪୬/୨୩)ରୁଜୁ ହୋଇଥିବା ଥାନା ଅଧିକାରୀ ସିପରା ସରୟ ଲୁଗୁନ କହିଛନ୍ତି। ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରି ପାରିନାହିଁ ।