Categories: ଜାତୀୟ

ଶାଶୁ, ସ୍ବାମୀଙ୍କୁ ଖଣ୍ଡ ଖଣ୍ଡ କଲେ ମହିଳା

ଗୁଆହାଟୀ, ୨୧।୨: ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଶ୍ରଦ୍ଧା ଓ୍ବାଲକର, ନିକ୍କି ଯାଦବ ଓ ମେଘା ହତ୍ୟାକାଣ୍ଡ ପରେ ଆସାମରୁ ଆଉ ଏକ ଚକିତ କଲାଭଳି ଘଟଣା ସାମ୍ନାକୁ ଆସିଛି। ଆସାମର ବନ୍ଦନା କଲିତା(୩୨) ତାଙ୍କ ଶାଶୁ ଏବଂ ସ୍ବାମୀଙ୍କୁ ହତ୍ୟା କରି ଗିରଫ ହୋଇଛନ୍ତି। ଦୁଇ ବନ୍ଧୁ ଦାନ୍ତି ଡେକା ଏବଂ ଅରୂପ ଡେକାଙ୍କ ସହଯୋଗରେ ବନ୍ଦନା ଏହି ଜଘନ୍ୟ କଣ୍ଡ କରିଥିବା ପୋଲିସ କହିଛି। ସ୍ବାମୀ ଅମରଜ୍ୟୋତି ଦେ(୩୫) ଏବଂ ଶାଶୁ ଶଙ୍କରୀ ଦେ(୬୨)ଙ୍କୁ ୭ ମାସ ପୂର୍ବରୁ ତିନି ଅଭିଯୁକ୍ତ ହତ୍ୟା କରିଥିଲେ। ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ ପଚରାଉଚରା କରୁଛି।
ହତ୍ୟାକାଣ୍ଡକୁ ଭିନ୍ନ ରୂପ ଦେବା ଲାଗି ବନ୍ଦନା ନୂନମତି ଥାନାରେ ଗତ ସେପ୍ଟେମ୍ବରେ ଅମରଜ୍ୟୋତି ଓ ଶଙ୍କରୀ ନିଖୋଜ ଥିବା ଅଭିଯୋଗ କରିଥିଲେ। ଶଙ୍କରୀ ନିଖୋଜ ଥବା ସତ୍ତ୍ୱେ ତାଙ୍କ ଏଟିଏମ୍‌ କାର୍ଡ ବ୍ୟବହାର ହେଉଥିବା ତାଙ୍କ ପୁତୁରା ନିର୍ମାଲ୍ୟ ଅଭିଯୋଗ କରିଥିଲେ। ଶଙ୍କରୀ ଓ ଅମରଜ୍ୟୋତିଙ୍କୁ ଅପହରଣ କରାଯାଇଥିବା ସେ ଅଭିଯୋଗରେ ଉଲ୍ଲେଖ କରିଥିଲେ। ଦୁଇଟି ଅଭିଯୋଗକୁ ଭିତ୍ତି କରି ପୋଲିସର ତଦନ୍ତ କରିଥିଲେ ହେଁ କୌଣସି ସଫଳତା ମିଳି ନ ଥିଲା।
ପୋଲିସ ତଦନ୍ତରେ ଅବହେଳା କରୁଥିବା ଫେବୃୟାରୀ ୧୪ରେ ବନ୍ଦନା ଗୁଆହାଟୀ ପୋଲିସ କମିଶନର ଅଫିସରେ ଅଭିଯାଗ କରିଥିଲେ। ଏହାପରେ ପୋଲିସର ସ୍ବତନ୍ତ୍ର ଟିମ୍‌ ଘଟଣା ତଦନ୍ତ ଆରମ୍ଭ କରିଥିଲା। ଏ ନେଇ ପୋଲିସ ବନ୍ଦନା ଓ ନିର୍ମାଲ୍ୟଙ୍କୁ ପଚରାଉଚରା କରିଥିଲା। ଦୁଇଦିନର ଜେରା ପରେ ବନ୍ଦନା ପୋଲିସ ଆଗରେ ସତ ମାନି ଯାଇଥିଲେ।
ବନ୍ଧୁ ଦାନ୍ତି ଡେକାଙ୍କ ସହଯୋଗରେ କଟା ଶରୀରକୁ ମେଘାଳୟ ନେଇ ଫୋପାଡ଼ି ଦେଇଥିଲେ। ହତ୍ୟାର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Share