ଗୁଆହାଟୀ,୨୮।୭: ଆସାମରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ସଙ୍କଟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟଳି ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨ ଜଣଙ୍କ ପ୍ରାଣହାନି ହେବା ପରେ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୬୮କୁ ବୃଦ୍ଧି ପାଇଛି। ଏବେ ବି ୫ ଜିଲାରେ ୫.୨୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବାବେଳେ ଅନେକ ହଜାର ଲୋକ ରିଲିଫ ଶିବିରରେ ଆଶ୍ରୟ ନେଇଛନ୍ତି।
ଚରାଇଦେଓ, ଗୋଲାଘାଟ, ଯୋରହାଟ, ନଗାଁଓ ଏବଂ ଶିବସାଗର ଜିଲା ଏବେ ବି ବନ୍ୟା ପ୍ଲାବିତ ରହିଛି। ଚରାଇଦେଓରେ ପ୍ରାୟ ୧.୯ ଲକ୍ଷ ଲୋକ ପ୍ରଭାବିତ ହୋଇ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସୂଚନା ଅନୁଯାୟୀ ସରକାର ଏବେ ରିଲିଫ ପରିବର୍ତ୍ତେ ପୁନରୁଦ୍ଧାର ଏବଂ ପୁନର୍ବାସ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ରାସ୍ତାଘାଟ ନଷ୍ଟ ହୋଇଯାଇଥିବା ସ୍ଥାନରେ ହେଲିକପ୍ଟର ଜରିଆରେ ଜରୁରୀ ସାମଗ୍ରୀ ପହଞ୍ଚାଯାଉଥିବା ସେ ପ୍ରକାଶ କରିଛନ୍ତି। ପ୍ରଶାସନ ପକ୍ଷରୁ ଜୋର୍ସୋରରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି। ୪ଟି ଜିଲାରେ ମୋଟ ୩୫୪ଟି ରିଲିଫ ଶିବିର ଏବଂ ରିଲିଫ ବଣ୍ଟନ କେନ୍ଦ୍ର କାର୍ଯ୍ୟ କରୁଛି, ଯେଉଁଠାରେ ବର୍ତ୍ତମାନ ପ୍ରାୟ ୩୭,୭୨୪ ଜଣ ବିସ୍ଥାପିତ ଆଶ୍ରୟ ନେଇଛନ୍ତି। ଉପର ଆସାମର ବିଭିନ୍ନ ଅଞ୍ଚଳରେ ସେନା, ଏନଡିଆର୍ଏଫ, ଏସଡିଆର୍ଏଫ, ଅଗ୍ନିଶମ ଏବଂ ଆସାମ ପୋଲିସ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।
ରାଜ୍ୟର ୭୬୩ଟି ଗ୍ରାମ ଜଳମଗ୍ନ ହୋଇଥିବାବେଳେ ୪୮,୭୪୨ ହେକ୍ଟରରୁ ଅଧିକ ଚାଷଜମି ନଷ୍ଟ ହୋଇଯାଇଛି। ନୁମାଲିଗଡ଼ ନିକଟରେ ଧନଶିରୀ ନଦୀ ଏବେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଆଖପାଖ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।