ଭୟଙ୍କର ରେଳ ଦୁର୍ଘଟଣା: ଇଞ୍ଜିନ ସହ ୭ଟି ବଗି ଲାଇନଚ୍ୟୁତ, ଯାତ୍ରୀଙ୍କ ମଧ୍ୟରେ ଖେଳାଗଲା ଆତଙ୍କ

ଗୁଆହାଟୀ,୧୧।୧୧: ଆସାମର ଗୁଆହାଟୀ ନିକଟରେ ବୁଧବାର ସକାଳେ ଏକ ଭୟଙ୍କର ରେଳ ଦୁର୍ଘଟଣା ଘଟିଛି। ଡିଗାରୁ ଅଞ୍ଚଳରେ ସାଇରାଙ୍ଗ-କୋଲକାତା ଏକ୍ସପ୍ରେସ୍‌ର ଇଞ୍ଜିନ ସମେତ ୭ଟି ବଗି ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣା ପରେ ଟ୍ରେନରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ଏହି ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇବା ମାତ୍ରେ ରେଳ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ନର୍ଥଇଷ୍ଟ ଫ୍ରଣ୍ଟିୟର ରେଲୱେ (NFR)ର ମୁଖ୍ୟ ଜନସମ୍ପର୍କ ଅଧିକାରୀ କପିଞ୍ଜଲ କିଶୋର ଶର୍ମା କହିଛନ୍ତି, ବୁଧବାର ସକାଳ ୬ଟା ୫୪ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରେନର ଇଞ୍ଜିନ ସହ ୭ଟି ବଗି ଲାଇନଚ୍ୟୁତ ହୋଇଛି। ଘଟଣା ପରେ ରେଳବାଇର ବରିଷ୍ଠ ଅଧିକାରୀମାନେ ସେଠାରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି।

ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ରେଳବାଇର ଉଦ୍ଧାରକାରୀ ଟିମ ତୁରନ୍ତ ରିଲିଫ ଓ ରେସ୍କ୍ୟୁ ଅପରେଶନ ଆରମ୍ଭ କରିଥିଲା। ଦୁର୍ଘଟଣାଗ୍ରସ୍ତ ବଗି ଭିତରେ ଫସି ରହିଥିବା ଯାତ୍ରୀଙ୍କୁ ବାହାର କରିବା ସହ ଆହତଙ୍କୁ ଡାକ୍ତରଖାନା ପହଞ୍ଚାଇବା କାର୍ଯ୍ୟ କରାଯାଇଥିଲା। ଉଦ୍ଧାର କାର୍ଯ୍ୟକୁ ତ୍ୱରାନୱିତ କରିବା ପାଇଁ ଘଟଣାସ୍ଥଳକୁ ଏକ ରିଲିଫ ଟ୍ରେନ ମଧ୍ୟ ପଠାଯାଇଛି।

ଏହି ରେଳ ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି। ଦୁର୍ଘଟଣା ପରେ ଟ୍ରେନରେ ଥିବା ଯାତ୍ରୀଙ୍କ ମଧ୍ୟରେ ଚିତ୍କାର ଓ ଆତଙ୍କ ଖେଳିଯାଇଥିଲା। ଅନେକ ଯାତ୍ରୀ ନିଜ ଜୀବନ ବଞ୍ଚାଇବା ପାଇଁ ବଗିରୁ ବାହାରିବାକୁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରେ ପହଞ୍ଚିଥିବା ଉଦ୍ଧାରକାରୀ ଦଳ ଯାତ୍ରୀଙ୍କୁ ସହାୟତା କରିବା ସହ ପ୍ରଭାବିତ ବଗିଗୁଡ଼ିକ ଚାରିପାଖରେ ସୁରକ୍ଷା ବ୍ୟବସ୍ଥା କରିଥିଲେ।

ଏହି ରେଳ ଦୁର୍ଘଟଣାର ପ୍ରଭାବ ଉତ୍ତର-ପୂର୍ବ ଭାରତର ରେଳ ସେବା ଉପରେ ମଧ୍ୟ ପଡ଼ିଛି। ଉପର ଆସାମ ଆଡ଼କୁ ଯାଉଥିବା ଟ୍ରେନଗୁଡ଼ିକର ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେହିପରି ମିଜୋରାମ, ମଣିପୁର ଓ ତ୍ରିପୁରା ଆଡ଼କୁ ଯାଉଥିବା ରେଳ ସେବା ମଧ୍ୟ ପ୍ରଭାବିତ ହୋଇଛି। ଅନେକ ଟ୍ରେନର ଚଳାଚଳ ମାର୍ଗରେ ପରିବର୍ତ୍ତନ କରିବାକୁ ପଡ଼ିଛି।

 

Dharitri – Odisha’s No.1 Odia Daily

Share