ଧନ ମାଗୁଅଛି-ଜନ ମାଗୁଅଛି

ଜୀବନ ପ୍ରବାହର ଗତିପଥକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ପାଇଁ ମଣିଷ ଅନେକ କିଛି ଆପଣେଇ ନେଇଥାଏ, ଭୁଲ ଠିକ୍‌ର ନିର୍ଣ୍ଣୟ କରି ସମୟୋଚିତ ପଦକ୍ଷେପ ମଧ୍ୟ ନେଇଥାଏ, ଯାହା ଥାଏ ଜୀବନ ଶୃଙ୍ଖଳାର ଧାରା। ମାତ୍ର ଅନେକ ସମୟରେ ମଣିଷ ଅନେକ କ୍ଷେତ୍ରରେ ନିର୍ଣ୍ଣୟ ଭୁଲ କରିଥାଏ ଓ ବ୍ୟବସ୍ଥାକୁ ଅଣଦେଖା କରି ସ୍ବାର୍ଥରେ ନିମଜ୍ଜିତ ହୋଇ ବାସ୍ତବତାର ଜୀବନକୁ ଭୁଲି କଳୁଷିତ ହୋଇଯାଏ। ଜୀବଦ୍ଦଶା ମଧ୍ୟରେ ସେ ଧନକୁ ଗୁରୁତ୍ୱ ଦେଇଥାଏ। ମଣିଷର ଧନ ଆବଶ୍ୟକ। କିନ୍ତୁ ଅନେକ କ୍ଷେତ୍ରରେ ମଣିଷକୁ ଏବେ ଧନ କରାୟତ୍ତ କରି ଦେଇଛି। ଫଳରେ ମଣିଷର ଅନ୍ତରାତ୍ମାର ଦୃଷ୍ଟି ଦୃଶ୍ୟମାନ ହେଉନାହିଁ। ବଞ୍ଚିବାର ଅର୍ଥ ଆଦର୍ଶ, ନୀତି, ମାନବୀୟ ଗୁଣ, ସମର୍ପଣ, ଭକ୍ତି ଆଦିରେ ନିୟୋଜିତ ହେବା। ସେ ଦୃଷ୍ଟିରୁ ବିଚାର କଲେ ସ୍ବାଧୀନତା ପୂର୍ବରୁ ବା ବିଂଶ ଶତାବ୍ଦୀର ମଧ୍ୟଭାଗ ପୂର୍ବରୁ ରହିଥିବା ମଣିଷର ସାମାଜିକ ସ୍ଥିତି, ବିଚାରଧାରା ତଥା ଜୀବନଶୈଳୀ ଏବେ ସମ୍ପୂର୍ଣ୍ଣ ଭିନ୍ନ ହୋଇଯାଇଛି। ଏହା ସମସ୍ତେ ଅନୁଭବ କରୁଛୁ ତଥା କାର୍ଯ୍ୟରେ ଦେଖୁଛୁ। ବିଂଶ ଶତାବ୍ଦୀର ମଧ୍ୟଭାଗ ପୂର୍ବରୁ ମଣିଷ ନୈତିକ ମୂଲ୍ୟବୋଧରେ ରହି ସମାଜ , ଈଶ୍ୱର, ନୀତି ନିକଟରେ ଶରଣାପନ୍ନ ହେଉଥିଲା। ସେଥିପାଇଁ ଭକ୍ତ ଜଗନ୍ନାଥଙ୍କ ନିକଟରେ ନିବେଦନ କରିଥିଲେ ‘ଜଗନ୍ନାଥ ହୋ କିଛି ମାଗୁ ନାହିଁ ତୋତେ, ଧନ ମାଗୁନାହିଁ ଜନ ମାଗୁ ନାହିଁ, ମାଗୁଛି ଶରଧା ବାଲିରୁ ହାତେ…। ଏଥିରେ ନିହିତ ରହିଛି ବ୍ୟକ୍ତିର ପାର୍ଥିବ ଉପଭୋଗ୍ୟ ବିଷୟ ପ୍ରତି ବିରାଗ ଓ ଈଶ୍ୱରଙ୍କ ପ୍ରତି ସମର୍ପଣ ଭାବ। ବ୍ୟକ୍ତି ଏଠାରେ ଭଗବାନଙ୍କୁ କିଛି ମାଗି ନାହିଁ, ମାଗିଛି କେବଳ ଜୀବନର ଅନ୍ତିମ ଯାତ୍ରା ପରେ ଶରଧା ବାଲିରେ ବା ଭଗବାନଙ୍କ ଚରଣରେ ସ୍ବଳ୍ପ ସ୍ଥାନ, ଯେଉଁଠି ସେ ସେବକ ହିସାବରେ ସମର୍ପଣ ହୋଇପାରିବ। ଜାଣି ରଖିବା ଉଚିତ ଯେ ପାର୍ଥିବ ଭୋଗ୍ୟ ବସ୍ତୁ ମଣିଷର ସାଥୀ ନୁହେଁ। ମାତ୍ର ମଣିଷ ଏକବିଂଶ ଶତାବ୍ଦୀରେ ଭଗବାନଙ୍କୁ ଦର୍ଶନ କରି ତାଙ୍କ ସହ ଚୁକ୍ତି କରୁଛି ବା ଦାବି କରୁଛି କିମ୍ବା ନିବେଦନ କରୁଛି -ମୋତେ ଏଇଟା ମିଳୁ, ମୋର ସେଇଟା ହେଉ, ମୋ ପିଲାର ଏହା ହେଉ ବା ମୋର ଆତ୍ମୀୟଙ୍କୁ ଏଇଟା ମିଳୁ।
ଅନେକ ବ୍ୟାଖ୍ୟା ସୂଚିତ କରେ ଯେ, ଭିକ୍ଷା ପ୍ରକୃତରେ ବିଶ୍ୱାସର ଏକ ଗଭୀର ଅଭିବ୍ୟକ୍ତି ଓ ଅସୁବିଧା ସମୟରେ ସାହାଯ୍ୟ ପାଇଁ ଏକ ଆନ୍ତରିକ ନିବେଦନ। ଯେତେବେଳେ ମଣିଷ କଠୋର ପରିସ୍ଥିତିର ସମ୍ମୁଖୀନ ହୁଏ, ଯେଉଁଠି ମାନବ ଉଦ୍ୟମ ପର୍ଯ୍ୟାପ୍ତ ନୁହେଁ ବୋଲି ଅନୁଭବ ହୁଏ, ସେତେବେଳେ ସେ ଭଗବାନଙ୍କୁ ‘ଭିକ୍ଷା’ କରିବାକୁ ବାଧ୍ୟ ହୋଇଥାଏ। କେତେକ ଧାର୍ମିକ ଦୃଷ୍ଟିକୋଣ ଯୁକ୍ତି କରେ ଯେ ପ୍ରକୃତ ବିଶ୍ୱାସ ‘ଭିକ୍ଷା’ କରେ ନାହିଁ, ବରଂ ଈଶ୍ୱରଙ୍କ ସମ୍ପୂର୍ଣ୍ଣ ଇଚ୍ଛା ଓ ସ୍ନେହପୂର୍ଣ୍ଣ ଚରିତ୍ରରେ ବିଶ୍ୱାସ କରେ, ପ୍ରାର୍ଥନାକୁ ଏକ ନିରାଶା ନିବେଦନ ପରିବର୍ତ୍ତେ ଏକ ଆତ୍ମବିଶ୍ୱାସୀ ଅନୁରୋଧ ଭାବରେ ଦେଖାଯାଏ। ଯେଉଁମାନେ ନିଜକୁ ସାହାଯ୍ୟ କରନ୍ତି ସେମାନଙ୍କୁ ଭଗବାନ୍‌ ସାହାଯ୍ୟ କରନ୍ତି। ଏହି ଧାରଣା ସୂଚିତ କରେ ଯେ ବ୍ୟକ୍ତିବିଶେଷଙ୍କୁ ଉଦ୍ୟମ କରିବାକୁ ପଡିବ। ଈଶ୍ୱରଙ୍କ ଅନୁଗ୍ରହ ସହିତ ପରିଶ୍ରମ କରିବାକୁ ପଡିବ। ଦୁଃଖ ବା ସଙ୍କଟ ମୁହୂର୍ତ୍ତରେ ପ୍ରାର୍ଥନା ଏକ ସାଧାରଣ ପ୍ରତିକ୍ରିୟା। ନୈତିକ ଦ୍ୱନ୍ଦ୍ୱ ବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିର ସମ୍ମୁଖୀନ ହେବାବେଳେ ସ୍ବଚ୍ଛତା ଓ ଜ୍ଞାନ ପାଇଁ ଈଶ୍ୱରଙ୍କ ନିକଟରେ ମଣିଷର ନିବେଦନ ହେଉଛି ବିଶ୍ୱାସର ଏକ ପ୍ରାକୃତିକ ଅଭିବ୍ୟକ୍ତି। ସରଳ ମୁହୂର୍ତ୍ତରେ ମଧ୍ୟ ଆଶୀର୍ବାଦ ପାଇଁ ଭଗବାନଙ୍କୁ ଗଭୀର କୃତଜ୍ଞତାର ସହ ଆତ୍ମ ନିବେଦନ କରାଯାଏ, ଯାହା ଈଶ୍ୱରଙ୍କ ସହିତ ସମ୍ପର୍କ ଓ ନିର୍ଭରଶୀଳତାକୁ ଦୃଢ କରିଥାଏ। ତେବେ ସମସାମୟିକ ସମାଜରେ, ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ବେଳେବେଳେ ‘ଭିକ୍ଷା’ ଭାବରେ ବିବେଚନା କରାଯାଏ। ଏହା ଏକ ଆଧ୍ୟାତ୍ମିକ ଅଭ୍ୟାସ। ଯାହାର କିଛି ନ ଥାଏ ସେ ଜୀବନ ଧାରଣ ପାଇଁ ଅନନ୍ୟୋପାୟ ହୋଇ ଭିକ୍ଷାକୁ ଆଧାର କରି ଜୀବନ ନିର୍ବାହ କରେ। ଏଥିରେ ଥାଏ ନମ୍ରତା ତଥା ନିବେଦନ, ଯାହା ଥାଏ କେବଳ ବଞ୍ଚିବା ପାଇଁ ଉତ୍କଣ୍ଠା।
ସାମ୍ପ୍ରତିକ ପରିସ୍ଥିତିରେ ସ୍ବାର୍ଥାନ୍ବେଷୀ ବ୍ୟକ୍ତିମାନେ ଅଧିକ ଧନ, ବିଳାସ, ପ୍ରାଚୁର୍ଯ୍ୟ ପାଇଁ ଅନବରତ ଭଗବାନ୍‌ଙ୍କୁ ଭିକ୍ଷା ମାଗିଥାନ୍ତି। ନିଜର ଆଧିପତ୍ୟ ଜାହିର କରିବା ପାଇଁ ଅଧିକ କ୍ଷମତା ବା ସୁଯୋଗ ଦେବା ପାଇଁ ଭିକ୍ଷା କରନ୍ତି॥ ତେଣୁ ତଦାନିନ୍ତନ ସମୟର ଧନ ମାଗୁନାହିଁ ଜନ ମାଗୁନାହିଁ ଚିନ୍ତାଧାରାକୁ ବିସର୍ଜନ ଦେଇ ସମ୍ପ୍ରତି ମଣିଷ ଧନ ଓ ଜନରେ ନିମଜ୍ଜିତ ହୋଇ ବିଶ୍ୱକୁ ନିଜ କବଳରେ ରଖିବାର ପ୍ରୟାସ କରୁଛି। ଏହା ହେଉଛି ଅପରିପକ୍ୱ୍‌ ଦୁର୍ବଳ ମାନସିକତାର ପରିପ୍ରକାଶ। ସମ୍ପ୍ରତି ମନ୍ଦିର ଅଛି, ଭକ୍ତ ଅଛି ଭକ୍ତି ନୂ୍ୟନ; ଶିକ୍ଷା ଅଛି ଜ୍ଞାନ ନୂ୍ୟନ; ଚିନ୍ତା ଅଛି ଚରିତ୍ର ନୂ୍ୟନ; ନୀତି ଅଛି ନୈତିକତା ନୂ୍ୟନ ଏବଂ ଜାତି ଅଛି ଜାତୀୟତା ନୂ୍ୟନ ଇତ୍ୟାଦି ସାମାଜିକ ସ୍ଥିତିକୁ ଦୁର୍ବଳ କରିବାରେ ଲାଗିଛି। ଜୀବଦ୍ଦଶା ମଧ୍ୟରେ ଶ୍ୱଶୁର ଶାଶୁଙ୍କୁ ଯେତେବେଳେ ଉଚିତ ସମ୍ମାନ, ସୁଷମ ଖାଦ୍ୟ, ଆବଶ୍ୟକ ଯତ୍ନ ସେବା ବା ଭ୍ରମଣ ଆଦିର ସୁଯୋଗ ଦେଇ ନ ଥିବା ରୋଜଗାରକ୍ଷମ ପୁଅଝିଅ ବୋହୂ ଈଶ୍ୱରଙ୍କ ନିକଟରେ ଧନ ଜନ ଭିକ୍ଷା କରି ମାତା ପିତାଙ୍କ ମୃତ୍ୟୁ ପରେ ସେମାନଙ୍କ ଅସ୍ଥିକୁ ତୀର୍ଥସ୍ଥାନରେ ସଲିଳ କରିଥାନ୍ତି। ଅନେକ ହଜାର ଲୋକଙ୍କୁ ଭୋଜନରେ ଆପ୍ୟାୟିତ କରିଥାନ୍ତି, ଯାହା ହେଉଛି ସାମ୍ପ୍ରତିକ ସାମାଜିକ ଚିତ୍ରର ଧନ ଓ ଜନର ଆବଶ୍ୟକତା ଓ ସୁ-ପ୍ରୟୋଗ। ଅତଏବ ବାସ୍ତବତାର ଉପଯୁକ୍ତ ପ୍ରୟୋଗରେ ନୈତିକ ମୂଲ୍ୟବୋଧର ବିବେକାନୁମୋଦିତ ବିଚାରଧାରାର ଚିତ୍ରଣରେ ମଣିଷ ଧନ ମାଗୁଅଛି ଓ ଜନ ମାଗୁଅଛିର ଈଶ୍ୱରଙ୍କଠାରେ ଛଳନାପୂର୍ଣ୍ଣ ଭିକ୍ଷାରୁ ନିବୃତ୍ତ ରହି ସେହି ତଥାକଥିତ ଧନ ମାଗୁନାହିଁ ଓ ଜନ ମାଗୁନାହିଁରେ ନିମଜ୍ଜିତ ହେଲେ ଏ ସମାଜ ଲୋକଦେଖାଣିଆ ଈଶ୍ୱରଙ୍କ ସହ ଲୋକଦେଖାଣିଆ ଛଳନାପୂର୍ଣ୍ଣ ଚୁକ୍ତିରୁ ମୁକ୍ତି ହୋଇପାରିବ। ତେଣୁ ମଣିଷ ମାଗିବାର ନିହିତ ଶୈଳୀକୁ ସ୍ବାର୍ଥ ରହିତ କରି ନୈତିକ ମୂଲ୍ୟବୋଧରେ ବିକ୍ରୟ ହେଲେ ନିଜକୁ ଆତ୍ମଶାନ୍ତିରେ ନିମଜ୍ଜିତ କରିପାରିବ ଯେଉଁଠି ଥିବ ସ୍ବାର୍ଥର ପୂର୍ଣ୍ଣଚ୍ଛେଦ ଓ ସମର୍ପଣର ଭାବାବେଗ।

ଡ.ସତ୍ୟ ନାରାୟଣ ମିଶ୍ର
ସହାୟକ ନିର୍ଦ୍ଦେଶକ
ଜାତୀୟ ଅଭିଲେଖାଗାର, ଭାରତ ସରକାର, ଭୁବନେଶ୍ୱର
ମୋ :୯୯୩୭୩୪୫୯୦୦

Dharitri – Odisha’s No.1 Odia Daily

Share