Categories: ଜାତୀୟ

ଘର ତିଆରି ପାଇଁ ଟଙ୍କା ମାଗିବା ମଧ୍ୟ ଯୌତୁକ, ସୁପ୍ରିମ୍‌କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୧୨।୧ : ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ ଘର ତିଆରି ପାଇଁ ଶାଶୁଘରରୁ ଟଙ୍କା ମାଗିବାକୁ ମଧ୍ୟ ଯୌତୁକ ଭାବେ ବିବେଚନା କରାଯିବ। ସୁପ୍ରିମକୋର୍ଟ ଏହାକୁ ଅପରାଧ ବୋଲି କହିଛନ୍ତି। ଏଥିସହିତ କୋର୍ଟ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଦଣ୍ଡକୁ କାଏମ୍‌ ରଖିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଘର ତିଆରି ଲାଗି ସ୍ତ୍ରୀଙ୍କ ମାତାପିତାଙ୍କୁ ଟଙ୍କା ମାଗିବା ମଧ୍ୟ ଏକ ଯୌତୁକ ଦାବି। ଯାହା ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୪-ବି ଅନୁଯାୟୀ ଅପରାଧ ।

ପ୍ରଧାନ ବିଚାରପତି ଏନ.ଭି ରମନା, ବିଚାରପତି ଏସ. ବୋପାନ୍ନା ଏବଂ ହିମା କୋହଲିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ଯୌତୁକ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଏବଂ ତାଙ୍କ ପିତା ଦଣ୍ଡକୁ କାଏମ୍‌ ରଖିଛନ୍ତି।

ଖଣ୍ଡପୀଠ କହିଛନ୍ତି ଯେ ସ୍ବାମୀଙ୍କ ଘର ପକ୍ଷରୁ ସମ୍ପତ୍ତି ନିର୍ବିଶେଷରେ ଜଣେ ମହିଳାଙ୍କ ପ୍ରତି ଯେ କୌଣସି ଦାବିକୁ ଅନ୍ତର୍ଭୁକ୍ତ କରିବା ପାଇଁ ଯୌତୁକ ଶବ୍ଦକୁ ବ୍ୟାପକ ଅର୍ଥରେ ବର୍ଣ୍ଣନା କରାଯିବା ଆବଶ୍ୟକ। ମଧ୍ୟପ୍ରଦେଶର ଜଣେ ମହିଳା ଯୌତୁକ ନିର୍ଯ୍ୟାତନା ଯୋଗୁଁ ଆତ୍ମହତ୍ୟା କରିଥିଲେ।

ଶାଶୁଘରେ ମହିଳାଙ୍କୁ ଘର ତିଆରି ପାଇଁ ଟଙ୍କା ବାପ ଘରୁ ଆଣିବାକୁ ବାଧ୍ୟ କରୁଥିଲେ। ମହିଳାଙ୍କ ପରିବାର ଘର ତିଆରି ପାଇଁ ଅର୍ଥ ଦେଇପାରି ନ ଥିଲେ। ଏହି କାରଣରୁ ମହିଳା ଜଣକ ବିବ୍ରତ ହୋଇ ଆତ୍ମହତ୍ୟା କରିଥିଲେ।

ଏହି ମାମଲାରେ ଆଇପିସିର ଧାରା ୩୦୪-ବି, ୩୦୬ ଏବଂ ୪୯୮-ଏ ଅନ୍ତର୍ଗତ ମହିଳାଙ୍କ ସ୍ବାମୀ ଏବଂ ଶ୍ୱଶୁରଙ୍କୁ ଟ୍ରାଏଲ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ।

ଟ୍ରାଏଲ କୋର୍ଟ ରାୟ ବିରୋଧରେ ସ୍ବାମୀ ଏବଂ ଶ୍ୱଶୁର ମଧ୍ୟପ୍ରଦେଶ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ମଧ୍ୟପ୍ରଦେଶ ହାଇକୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ୩୦୪-ବି ଅନ୍ତର୍ଗତ ଅପରାଧ ପ୍ରମାଣିତ ହେଉ ନ ଥିବା ରାୟ ଦେଇଥିଲେ। ଟଙ୍କା ମାଗିଥିବା ଅଭିଯୋଗକୁ ମହିଳାଙ୍କ ମୃତ୍ୟୁର କାରଣ ସହିତ ଯୋଡା ଯାଇପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଥିଲେ।

ତେବେ ମହିଳାଙ୍କ ପରିବାର ପକ୍ଷରୁ ଏନେଇ ସୁପ୍ରିମ୍‌କୋର୍ଟରେ ଆବେଦନ କରାଯାଇଥିଲା। ସୁପ୍ରିମକୋର୍ଟ ନିମ୍ନ ଅଦାଲତ ରାୟକୁ କାଏମ୍‌ ରଖିବା ସହିତ ହାଇକୋର୍ଟଙ୍କ ରାୟକୁ ଖାରଜ କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି।

Share