ଅସିଫା ଭୁଟ୍ଟୋ ଜର୍ଦ୍ଦାରୀ ହେଲେ ପାକିସ୍ତାନର ପ୍ରଥମ ମହିଳା

ଇସ୍‌ଲାମାବାଦ୍‌, ୧୨।୩: ପାକିସ୍ତାନର ନବ ନିର୍ବାଚିତ ରାଷ୍ଟ୍ରପତି ଅସିଫ୍‌ ଅଲୀ ଜର୍ଦ୍ଦାରୀ ନିଜ ଝିଅ ଅସିଫା ଭୁଟ୍ଟୋ ଜର୍ଦ୍ଦାରୀଙ୍କୁ ଦେଶର ପ୍ରଥମ ମହିଳା ଭାବେ ଆଧିକାରିକ ଘୋଷଣା କରିଛନ୍ତି। ସାଧାରଣତଃ ରାଷ୍ଟ୍ରପତିଙ୍କର ସ୍ତ୍ରୀଙ୍କୁ ଦେଶର ପ୍ରଥମ ମହିଳା ଭାବେ ଅଭିହିତ କରାଯାଉଥିବା ବେଳେ ଜର୍ଦ୍ଦାରୀଙ୍କ ଏହି ନିଷ୍ପତ୍ତି ଐତିହାସିକ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଜର୍ଦ୍ଦାରୀଙ୍କ ସ୍ତ୍ରୀ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କୁ ୨୦୦୭ରେ ହତ୍ୟା କରାଯାଇଥିଲା। ୨୦୦୮ରୁ ୨୦୧୩ ମଧ୍ୟରେ ରାଷ୍ଟ୍ରପତି ଭାବେ ଜର୍ଦ୍ଦାରୀଙ୍କ ପ୍ରଥମ କାର୍ଯ୍ୟକାଳରେ ଏହି ପଦ ଖାଲି ରହିଥିଲା। ୨୦୨୦ ନଭେମ୍ବରରେ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଅସିଫା ଚଳିତ ପାକିସ୍ତାନ ନିର୍ବାଚନରେ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି) ଓ ଏହାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ତଥା ନିଜ ଭାଇ ବିଲାଓ୍ବଲ ଭୁଟ୍ଟୋଙ୍କ ସପକ୍ଷରେ ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା।

Share