Categories: Home Leftଖେଳ

ଏସିଆନ ପାରା ଗେମ୍ସ: ରୌପ୍ୟରେ ସନ୍ତୁଷ୍ଟ ହେଲେ ପ୍ରମୋଦ

ଭୁବନେଶ୍ୱର,୨୩ା୧୦: ଏସିଆନ ପାରା ଗେମ୍ସରେ ଓଡ଼ିଶା ତଥା ଦେଶର ଚାମ୍ପିୟନ ପାରା ଶଟଲର ପ୍ରମୋଦ ଭଗତ ଶୁକ୍ରବାର ପୁରୁଷ ସିଙ୍ଗଲ୍ସ ଏସ୍‌ଏଲ୍‌୩ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ସେ ଫାଇନାଲରେ ସାଥୀ ଭାରତୀୟ ଶଟଲର ନୀତେଶ କୁମାରଙ୍କଠାରୁ ପରାସ୍ତ ହୋଇଛନ୍ତି। ଚଳିତ ଏସିଆନ ପାରା ଗେମ୍ସରେ ଏହା ପ୍ରମୋଦଙ୍କ ଲାଗି ଦ୍ୱିତୀୟ ପଦକ। ଏଥିପୂର୍ବରୁ ସେ ମିକ୍ସଡ୍‌ ଡବଲ୍ସରେ ମନୀଷା ରାମଦାସଙ୍କ ସହ ବ୍ରୋଞ୍ଜ ପଦକ ଜିତିଥିଲେ।

ପ୍ରମୋଦ ଗତ ଦୁଇ ଥରର ଚାମ୍ପିୟନ ଭାବେ ଫାଇନାଲରେ ପ୍ରବେଶ କରିଥିଲେ। ଗତ ୨୦୨୨ ହାଙ୍ଗଝୌ ସଂସ୍କରଣର ଫାଇନାଲରେ ନୀତେଶଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଥିବାରୁ ଭଗତଙ୍କଠାରୁ ଏଥର ମଧ୍ୟ ସମାନ ଆଶା ରହିଥିଲା। ମାତ୍ର ଫାଇନାଲରେ ଭଗତ ୧୮-୨୧, ୧୬-୨୧ ସିଧାସଳଖ ଗେମ୍‌ରେ ପ୍ୟାରିସ ପାରାଲିମ୍ପିକ୍‌ ଚାମ୍ପିୟନ ନୀତେଶଙ୍କଠାରୁ ପରାସ୍ତ ହୋଇଥିଲେ। ଲଗାତର ଦୁଇ ସଂସ୍କରଣର ଫାଇନାଲରେ ଦୁଇ ଭାରତୀୟ ପରସ୍ପରକୁ ଭେଟିବା ଏସିଆନ ପାରା-ବ୍ୟାଡ୍‌ମିଣ୍ଟନରେ ଭାରତର ପ୍ରଭୁତ୍ୱକୁ ଦର୍ଶାଉଛି।

ସଂସ୍କରଣରେ ସ୍ବର୍ଣ୍ଣ ପଦକ ହାତଛଡ଼ା କରିବା ସତ୍ତ୍ୱେ ପ୍ରମୋଦଙ୍କ କ୍ୟାରିୟରରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ଏହି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶଟଲର ଟୋକିଓ ପାରାଲିମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଜିତିବା ସହ ୬ ଥର ବିଶ୍ୱ ପାରା ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିଥିଲେ। ସେ ୨୦୧୮ ଜାକର୍ତ୍ତା ଓ ୨୦୨୨ ହାଙ୍ଗଝୌ ଏସିଆନ ପାରା ଗେମ୍ସରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ। ଚଳିତ ଏସିଆନ ପାରା ଗେମ୍ସରେ ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିବା ପାଇଁ ପ୍ରମୋଦଙ୍କୁ ପାରା ସ୍ପୋଟର୍‌ସ ଆସୋସିଏଶନ ଅଫ୍‌ ଓଡ଼ିଶା (ପିଏସ୍‌ଏଓ) ପକ୍ଷରୁ ଅଭିନନ୍ଦନ ଜଣାଯାଇଛି।

Share