Categories: Home Leftଖେଳ

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା ସାଲିମା ଟେଟେ (୧୭ତମ ମିନିଟ୍‌), ସୁନେଲିତା (୨୨ତମ ଓ ୨୪ତମ), ଲାଲରେମସିଆମି (୨୬ତମ), ରୁତୁଜା ପିସାଲ (୨୯ତମ), ନିକି ପ୍ରଧାନ (୩୫ତମ) ଓ ଦୀପିକା (୫୫ତମ) ଗୋଲ କରିଥିଲେ। ୫ ମ୍ୟାଚ୍‌ରେ ପଞ୍ଚମ ବିଜୟ ସହ ଏସୀୟ କ୍ରୀଡ଼ାରେ ଭାରତ ପୁଲ-ବି’ରେ ଟପ୍‌ରେ ରହିଛି। ବୁଧବାର ସେମିଫାଇନାଲରେ ଦକ୍ଷିଣ କୋରିଆକୁ ଭାରତ ଭେଟିବ। ସେହିଭଳି ଡିଫେଣ୍ଡିଂ ଚାମ୍ପିୟନ ଓ ଅଲିମ୍ପିକ୍‌ ସିଲଭର ମେଡାଲିଷ୍ଟ ଚାଇନା ଅନ୍ୟ ସେମିଫାଇନାଲରେ ଆୟୋଜକ ଜାପାନକୁ ଭେଟିବ।

ସିଙ୍ଗପୁରର ଚମତ୍କାର ଡିଫେନ୍ସିଭ ପ୍ରଦର୍ଶନ ଯୋଗୁ ଭାରତ ପ୍ରଥମ କ୍ୱାର୍ଟରରେ ଗୋଲ କରିପାରି ନ ଥିଲା। ଏପରି କି ଭାରତ ୮ ପେନାଲ୍ଟି କର୍ନର (ପିସି)ରୁ ଗୋଟିଏ ବି ଗୋଲ କରିବାରେ ବିଫଳ ହୋଇଥିଲା। କିନ୍ତୁ ଦ୍ୱିତୀୟ କ୍ୱାର୍ଟରରେ ଭାରତ ୫ ଗୋଲ କରିଥିଲା, ଯେଉଁଥିରୁ ୩ଟି ଗୋଲ ପିସିରୁ ହୋଇଥିଲା। ତୃତୀୟ କ୍ୱାର୍ଟରରେ ନିକି ଗୋଲ କରିଥିବା ବେଳେ ଦଳ ହାସଲ କରିଥିବା ୫ଟି ପିସି ବେକାର ସାବ୍ୟସ୍ତ ହୋଇଥିଲା। ଅନ୍ତିମ ୫ ମିନିଟ୍‌ରେ ଭାରତକୁ କ୍ରମାଗତ ଦୁଇଟି ପିସି ମିଳିଥିଲା। ସେଥିରୁ ଦୀପିକା ଗୋଟିଏ ଗୋଲ କରିଥିଲେ।

Share