Categories: ଖେଳ

ପାକିସ୍ତାନ ଖେଳାଳିଙ୍କ ଇଚ୍ଛା ପୂରଣ କଲେ ବିରାଟ କୋହଲି

ଦୁବାଇ,୩୦।୮: ଏସିଆ କପ ୨୦୨୨ର ଏକ ମ୍ୟାଚ୍‌ ପାକିସ୍ତାନକୁ ୫ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଏହି ମ୍ୟାଚ ସମୟରେ ପାକିସ୍ତାନର ଦ୍ରୁତ ବୋଲର ହରିସ ରୌଫ୍‌ଙ୍କ ଇଚ୍ଛା ପୂରଣ କରିଥିଲେ। ହରିସ କୋହଲିଙ୍କୁ ତାଙ୍କ ଜର୍ସି ମାଗିଥିଲେ ଏବଂ ଏଥିରେ ତାଙ୍କ ଅଟୋଗ୍ରାଫ ଦେବାକୁ କହିଥିଲେ। ବିରାଟ ମଧ୍ୟ ତାଙ୍କ ଇଚ୍ଛା ପୂରଣ କରିଥିଲେ। ଏହାର ଭିଡିଓ ବିସିସିଆଇ ଟୁଇଟର୍‌ରେ ଶେୟାର କରିଛି।

ଏହାପୂର୍ବରୁ କୋହଲି ଏହି ମ୍ୟାଚ ଦେଖିବାକୁ ଆସିଥିବା ପାକିସ୍ତାନର ସୋସିଆଲ ମିଡିଆ ତାରକା ମୋମିନ ସାକିବଙ୍କୁ ମଧ୍ୟ ଭେଟିଥିଲେ। ମୋମିନ ସେମାନଙ୍କ ସାକ୍ଷାତର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରିଛନ୍ତି।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ୨୦୧୯ ଦିନିକିଆ ବିଶ୍ୱକପ ମ୍ୟାଚ ପରେ ମୋମିନ ସୋସିଆଲ ମିଡିଆରେ ପ୍ରସିଦ୍ଧ ହୋଇଥିଲେ। ଏହି ପାକିସ୍ତାନର ପରାଜୟ ପରେ ଗଣମାଧ୍ୟମ ପ୍ରଶଂସକଙ୍କଠାରୁ ପ୍ରତିକ୍ରିୟା ନେଉଥିଲା, ମୋମିନ କହିଥିଲେ- ‘ଓହେ ଭାଇ! ମାରୋ ମୁଝେ ମାରୋ। ’ ତାଙ୍କର ଏହି ଧାଡ଼ିଟି ସୋସିଆଲ ମିଡିଆରେ ଲୋକମାନେ ଏକ ମେମ ଭାବରେ ଆଜି ପର୍ଯ୍ୟନ୍ତ ବ୍ୟବହାର ହେଉଛି।
ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବିରାଟ କୋହଲି ଭଲ ପ୍ରଦର୍ଶନ କରିଥିଲେ। ସେ ୩୪ ବଲରୁ ୩୫ ରନ ସ୍କୋର କରି ଦଳର ଇନିଂସ ପରିଚାଳନା କରିଥିଲେ। କେଏଲ ରାହୁଲଙ୍କ ଉଇକେଟ ହରାଇବା ପରେ ଭାରତୀୟ ଦଳ ଏକ ସମୟରେ ସଂଘର୍ଷ କରିଥିଲା। ରୋହିତ ଶର୍ମାଙ୍କ ସହ ବିରାଟ ଦ୍ୱିତୀୟ ଉଇକେଟ ପାଇଁ ୪୯ ରନ ପାର୍ଟନରଶିପ୍‌ କରିଥିଲେ।

Share