ମାଜିଷ୍ଟ୍ରେଟଙ୍କ ଜାଲ୍‌ ଦସ୍ତଖତରେ ଅଭିଯୁକ୍ତଙ୍କୁ ବେଲ୍‌: ଏଏସ୍‌ଆଇ ଗିରଫ

ବୁଗୁଡ଼ା,୨୦।୨(ଡି.ଏନ୍‌.ଏ.): ମାଜିଷ୍ଟ୍ରେଟଙ୍କ ଜାଲ ଦସ୍ତଖତ କରି ଅଭିଯୁକ୍ତଙ୍କୁ ବେଲରେ ଛାଡ଼ିବା ଘଟଣାରେ ବୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟର ପୋଲିସ ଏଏସ୍‌ଆଇ ସୂର୍ଯ୍ୟ ନାରାୟଣ ବେହେରାଙ୍କୁ ଗିରଫ କରିଛି । ସୂର୍ଯ୍ୟ ନାରାୟଣଙ୍କ ବିରୋଧରେ ବୁଗୁଡ଼ା କୋର୍ଟର ମାଜିଷ୍ଟ୍ରେଟ ସୋନାଲି ଅପରାଜିତା ଏଫ୍‌ଆଇଆର ଦେବାପରେ ପୋଲିସ କେସ ନଂ ୫୮/୨୧ରେ ଏକ ମାମଲା ରୁଜୁ କରିଥିଲା।
ସୂଚନାଯୋଗ୍ୟ, ବୁଗୁଡ଼ା ଥାନା ଅନ୍ତର୍ଗତ ଅନ୍ତର୍ଗତ କରବୁଲି ଗ୍ରାମରେ ପୁତୁରାକୁ ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ କେସ ନଂ ୪o/୨୧ରେ ଏକ ମାମଲା ରୁଜୁ କରିବା ସହ ଦାଦା ବାବୁଲା ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଝିଅର ବାହାଘର ଥିବା ଦର୍ଶାଇ ବାବୁଲା ଭଞ୍ଜନଗର ଅତିରିକ୍ତ ଜିଲା ଦୌରାଜଜ କୋର୍ଟରେ ବେଲ ପାଇଁ ଆବେଦନ କଲାପରେ ଗତ ୧୨ ତାରିଖରେ ବେଲ ମିଳିଥିଲା ଏବଂ ଉକ୍ତ ଅର୍ଡରଟି ବୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟକୁ ଆସିଥିଲା। ଏହା ଉପରେ ବୁଗୁଡ଼ା ମାଜିଷ୍ଟ୍ରେଟ ଦସ୍ତଖତ କଲାପରେ ବାବୁଲା ବେଲ୍‌ରେ ଆସିବା କଥା, କିନ୍ତୁ ଉକ୍ତ ଦିନ ବୁଗୁଡ଼ା ମାଜିଷ୍ଟ୍ରେଟ ସୋନାଲି ଅପରାଜିତା ଛୁଟିରେ ଥିବାରୁ ଆସ୍କା କୋର୍ଟର ମାଜିଷ୍ଟ୍ରେଟ ଶର୍ମିଷ୍ଠା ଜେନା ଦାୟିିତ୍ୱରେ ଥିଲେ । ତେବେ କୋର୍ଟ ଏଏସ୍‌ଆଇ ସୂର୍ଯ୍ୟ ନାରାୟଣ ବେହେରା ମାଜିଷ୍ଟ୍ରେଟଙ୍କ ନିକଟରେ ପେଶ ନ କରି ବେଲ ଅର୍ଡର ତାଙ୍କର ନକଲି ଦସ୍ତଖତ କରି ପଠାଇ ଦେଇଥିଲେ। ନକଲି ଦସ୍ତଖତରେ ବାବୁଲା ଜେଲ୍‌ରୁ ବେଲରେ ଆସିଥିବା ଜଣାପଡ଼ିବା ପରେ ଶୁକ୍ରବାର ବୁଗୁଡ଼ା ମାଜିଷ୍ଟ୍ରେଟ ସୋନାଲି ଅପରାଜିତା ବୁଗୁଡ଼ା ଥାନାରେ ସମ୍ପୃକ୍ତ ଏଏସ୍‌ଆଇଙ୍କ ବିରୋଧରେ ଅଭିଯୋଗ କରିଥିଲେ। ବୁଗୁଡ଼ା ଥାନା ଏସଆଇ କାର୍ତ୍ତିକ ନାୟକ ଘଟଣାର ତଦନ୍ତ ଭାର ନେଇଥିବା ବେଳେ ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ମଧ୍ୟ ଘଟଣା ଉପରେ ରଖିଥିଲେ। ତେବେ ଆଜି ସଂପୃକ୍ତ କୋର୍ଟ ଏଏସ୍‌ଆଇ ସୂର୍ଯ୍ୟ ନାରାୟଣ ବେହେରାଙ୍କୁ ଗିରଫ କରାଯାଇଥିବା ନେଇ ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଉକ୍ତ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।