Categories: ଖେଳ

ହରଭଜନଙ୍କୁ ପଛରେ ପକାଇଲେ ଅଶ୍ୱିନ

ଚେନ୍ନାଇ,୧୫।୨(ପି.ଟି.): ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୫ ଉଇକେଟ ଅକ୍ତିଆର କରି ଅଭିଜ୍ଞ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏକାଧିକ ସଫଳତା ଅର୍ଜନ କରିଛନ୍ତି। ଭାରତରେ ସେ ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂଙ୍କୁ ପଛରେ ପକାଇ ଦ୍ୱିତୀୟ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ବିବେଚିତ ହୋଇଛନ୍ତି। ଅଶ୍ୱିନ ବେନ୍‌ ଷ୍ଟୋକ୍ସଙ୍କୁ ଆଉଟ କରି ହରଭଜନଙ୍କୁ ପଛରେ ପକାଇଛନ୍ତି। ହରଭଜନ ପୂର୍ବରୁ ଭାରତରେ ୨୮.୭୬ ରନ ହାରରେ ୨୬୫ଟି ଉଇକେଟ ହାସଲ କରିଥିଲେ। ଅଶ୍ୱିନ ଭାରତରେ ୨୬୬ଟି ଉଇକେଟ ହାସଲ କରିଛନ୍ତି। ମୋଟ ଉପରେ ଅଶ୍ୱିନ ୭୬ଟି ଟେଷ୍ଟ ଖେଳି ୨୫.୨୬ ରନ ହାରରେ ୩୯୧ଟି ଉଇକେଟ ହାସଲ କରିଛନ୍ତି। ଭାରତ ମାଟିରେ ଅଶ୍ୱିନ ଏବେ ୨୨.୬୭ ରନ ହାରରେ ୨୬୬ଟି ଉଇକେଟ ଅକ୍ତିଆର କରିଛନ୍ତି। ତେବେ ସେ ସ୍ପିନ ଲିଜେଣ୍ଡ ଅନିଲ କୁମ୍ବଲେଙ୍କ ପଛରେ ରହିଛନ୍ତି। କୁମ୍ବଲେ ଭାରତରେ ୨୪.୮୮ ରନ ହାରରେ ସର୍ବାଧିକ ୩୫୦ ଉଇକେଟ ହାସଲ କରିଛନ୍ତି। କୁମ୍ବଲେ ଟେଷ୍ଟରେ ମୋଟ ୬୧୯ଟି ଉଇକେଟ ହାସଲ କରି ଭାରତର ସଫଳତମ ବୋଲର ସାବ୍ୟସ୍ତ ହୋଇଛନ୍ତି। କିମ୍ବଦନ୍ତୀ ଦ୍ରୁତ ବୋଲର କପିଳ ଦେବ ୪୩୪ ଉଇକେଟ ହାସଲ କରି ଦ୍ୱିତୀୟ ସଫଳତମ ବୋଲର ଭାବେ ତାଲିକାରେ ସ୍ଥାନ ପାଇଛନ୍ତି। ସେହିପରି ହରଭଜନ ୪୧୭ଟି ଉଇକେଟ ଅକ୍ତିଆର କରି ତୃତୀୟ ସ୍ଥାନରେ ରହିଛନ୍ତି। ୩୯୧ ଉଇକେଟ ସହ ଅଶ୍ୱିନ ଏହି କ୍ରମରେ ଚତୁର୍ଥ ସ୍ଥାନରେ ରହିଛନ୍ତି।
୩୪ ବର୍ଷୀୟ ଅଶ୍ୱିନ ୨୯ଥର ଗୋଟିଏ ଇନିଂସରେ ୫ ଉଇକେଟ ସଫଳତା ପାଇଛନ୍ତି। ସେହିପରି ୭ଥର ସେ କୌଣସି ମ୍ୟାଚ୍‌ରେ ୧୦ ଉଇକେଟ ସଫଳତା ହାସଲ କରିଛନ୍ତି। ୭/୫୯ ହେଉଛି ତାଙ୍କ ଶ୍ରେଷ୍ଠ ଇନିଂସ ସଫଳତା ଓ ୧୩/ ୧୩୦ ହେଉଛି ତାଙ୍କର ଶ୍ରେଷ୍ଠ ମ୍ୟାଚ୍‌ ସଫଳତା।

Share