Categories: ଖେଳ

ଯନ୍ତ୍ରଣା ବଖାଣିଲେ ଅଶ୍ୱିନ୍‌: ୮-୯ ରାତି ନ ଶୋଇ ମ୍ୟାଚ୍‌ ଖେଳିଥିଲେ ଅଶ୍ୱିନ୍‌

ମୁମ୍ବାଇ,୨୮।୫: କରୋନା ମହାମାରୀ ହେତୁ ଆଇପିଏଲ ୨୦୨୧ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ବିସିସିଆଇ ଏବେ ଏହି ଟୁର୍ନାମେଣ୍ଟର ଅବଶିଷ୍ଟ ମ୍ୟାଚ ସେପ୍ଟେମ୍ବର-ଅକ୍ଟୋବରରେ କରିବାକୁ ପ୍ରସ୍ତୁତ ହେଉଛି। ଆଇପିଏଲ ସ୍ଥଗିତ ରଖିବା ପୂର୍ବରୁ ମଧ୍ୟ ଦିଲ୍ଲୀ କ୍ୟାପିଟାଲ ତାରକା ବୋଲର ରବିଚନ୍ଦ୍ରନ ଅଶ୍ୱିନ ପାଞ୍ଚଟି ମ୍ୟାଚ ଖେଳିବା ପରେ ଲିଗ୍‌ରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ନିଜେ ଆଇପିଏଲ ସମୟରେ ଅଶ୍ୱିନଙ୍କ ପରିବାରର ଅନେକ ସଦସ୍ୟ କରୋନା ସଂକ୍ରମିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ କେତେକ ଗୁରୁତର ହୋଇଥିଲେ। ଏହି କାରଣରୁ ଅଫ ସ୍ପିନର ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଅଶ୍ୱିନ ଏହି ସମଗ୍ର ବିଷୟ ବିଷୟରେ ସୂଚନା ଦେଇଛନ୍ତ।

ଅଶ୍ୱିନ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, ମୋ ପରିବାରର ପ୍ରାୟ ସମସ୍ତ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। ମୋର କିଛି ସମ୍ପର୍କୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମୁଁ ଅତି କମରେ ୮-୯ ଦିନ ଶୋଇ ପାରି ନ ଥିଲି। ନ ଶୋଇ ମଧ୍ୟ ମ୍ୟାଚ ଖେଳିବାକୁ ପଡିଆକୁ ଓହ୍ଲାଇଥିଲି। ଏହା ପରେ ମୁଁ ଆଇପିଏଲରୁ ଓହରି ଘରକୁ ଯିବାକୁ ସ୍ଥିର କଲି। ଆଇପିଏଲ ୨୦୨୧ରେ ଅଶ୍ୱିନ ପାଞ୍ଚଟି ମ୍ୟାଚରେ ମାତ୍ର ଗୋଟିଏ ଉଇକେଟ ନେବାରେ ସଫଳ ହୋଇଥିଲେ।

ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରିଥିବା ଅଶ୍ୱିନ ଏବେ ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତ ହେଉଛନ୍ତି। ଅଶ୍ୱିନ ଏବେ ଦଳର ଖେଳାଳିଙ୍କ ସହ ମୁମ୍ବାଇରେ ଅଛନ୍ତି। ଭାରତୀୟ ଦଳକୁ ଜୁନ ୧୮ରୁ ଇଂଲଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳିବାକୁ ପଡିବ। ଏହା ପରେ ଟିମ ଇଣ୍ଡିଆ ପାଞ୍ଚ ଟେଷ୍ଟ ସିରିଜରେ ଇଂଲଣ୍ଡକୁ ଭେଟିବ। ଭାରତୀୟ ଦଳ ପ୍ରାୟ ଚାରି ମାସ ଇଂଲଣ୍ଡରେ ରହିବାକୁ ଯାଉଛନ୍ତି।

Share