Categories: ଖେଳ

ଅଶ୍ୱିନଙ୍କୁ ନେଇ କୋହଲିଙ୍କ ବଡ଼ ବୟାନ

ଆବୁଧାବି,୫।୧୧: ଆଇସିସି ଟି-୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନ ବିପକ୍ଷ ମୁକାବିଲାକୁ ଜିତିନେଇ ଭାରତ ପ୍ରଥମ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଅନୁଭବୀ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଅଶ୍ୱିନ ୪ ବର୍ଷ ପରେ ଭାରତୀୟ ଟି୨୦ ସ୍କ୍ବାର୍ଡକୁ ଫେରି ଭଲ ପ୍ରଦର୍ଶନ କରିଥିଲେ। ତାଙ୍କୁ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ସାମିଲ କରାଯାଇଥିଲା। ମ୍ୟାଚ୍‌ ପରେ ଅଧିନାୟକ ବିରାଟ କୋହଲି ଅଶ୍ୱିନଙ୍କ ଭୁରି ପ୍ରଶଂସା କରିଥିଲେ।

ସେ କହିଥିଲେ, ଅଶ୍ୱିନଙ୍କ ଘରବାହୁଡ଼ା ସକରାତ୍ମକ ପ୍ରଭାବ ଆଣି ଆସିଲା। ସେ ଏଥିପାଇଁ ବହୁତ ପରିଶ୍ରମ କରିଛନ୍ତି। ଅଶ୍ୱିନ ଏଭଳି ନିୟନ୍ତ୍ରଣ ଏବଂ ଲୟ ଆଇପିଏଲ୍‌ରେ ମଧ୍ୟ ଦେଖାଇଥିଲେ। ସେ ଭାବିଚିନ୍ତି ବୋଲିଂ କରନ୍ତି ବୋଲି କୋହଲି କହିଥିଲେ।
ପ୍ରକାଶ ଯେ, ୩୫ ବର୍ଷୀୟ ଏହି କ୍ରିକେଟର ୨୦୧୭ ଜୁଲାଇ ୯ରେ ଶେଷ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳିଥିଲେ। ଭାଗ୍ୟ ସାଥ୍‌ ଦେବା କାରଣରୁ ତାଙ୍କୁ ବିଶ୍ୱକପ୍‌ ସ୍କ୍ବାର୍ଡରେ ସାମିଲ କରାଯାଇଥିଲା। କାରଣ ଓ୍ବାଶିଂଟନ ସୁନ୍ଦର ଆହତ ହୋଇଥିଲେ। ସେ ଫିଟ୍‌ ନ ଥିବା କାରଣରୁ ଅଶ୍ୱିନ ତାଙ୍କ ସ୍ଥାନ ନେଇଥିଲେ।

Share