Categories: ଖେଳ

ଏନ୍‌ସିଏ ଏଚ୍‌ପି କ୍ୟାମ୍ପ ପାଇଁ ଆଶୁତୋଷ ମନୋନୀତ

ଭୁବନେଶ୍ୱର, ୨୦।୪ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ଡାହାଣହାତୀ ଦ୍ରୁତ ବୋଲର ଆଶୁତୋଷ ଛୁରିଆ ୨୩ ବର୍ଷରୁ କମ୍‌ ଜାତୀୟ କ୍ରିକେଟ ଏକାଡେମୀ ହାଇପରଫର୍ମାନ୍ସ କ୍ୟାମ୍ପ ପାଇଁ ମନୋନୀତ ହୋଇଛନ୍ତି। ସମ୍ବଲପୁର ଜିଲାରୁ ପ୍ରତିନିଧିତ୍ୱ କରୁଥିବା ଆଶୁତୋଷ ନିକଟରେ ଶେଷ ହୋଇଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଘରୋଇ ସିଜନରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏନ୍‌ସିଏ ଏଚପି କ୍ୟାମ୍ପ ପୁଡୁଚେରୀଠାରେ ମେ’ ୩୦ରୁ ଜୁନ୍‌ ୧୮ ପର୍ଯ୍ୟନ୍ତ ଚାଲିବ। ଆଶୁତୋଷ ୨୫ ବର୍ଷରୁ କମ୍‌ ଦିନିକିଆ ଷ୍ଟେଟ୍‌-ଏ ଟ୍ରଫିରେ ୧୧ଟି ଉଇକେଟ ନେଇଥିଲେ। ସେହିପରି ମଲ୍ଟି-ଡେ’ କଲୋନେଲ ସି.କେ. ନାଇଡ଼ୁ ଟ୍ରଫିରେ ସେ ୩୧ଟି ଉଇକେଟ ହାସଲ କରିଥିଲେ। ବରୋଦା ବିପକ୍ଷ ଏକ ମ୍ୟାଚରେ ସେ ୯ ଉଇକେଟ ସଫଳତା ପାଇଥିଲେ। ଏହି ମ୍ୟାଚରେ ତାଙ୍କର ବୋଲିଂ ବିଶ୍ଳେଷଣ ଥିଲା ୩୩-୩-୧୩୧-୯। ନିଜ ଦକ୍ଷତାକୁ ଅଧିକ ଶାଣିତ କରିବାପାଇଁ ଏନ୍‌ସିଏ ହାଇପରଫର୍ମାନ୍ସ କ୍ୟାମ୍ପ ବହୁତ ବଡ଼ ସୁଯୋଗ। ଏଥିରେ ଟ୍ରେନିଂ ନେଇ ସେ ଆଗାମୀ ଘରୋଇ ସିଜନ ପାଇଁ ନିଜକୁ ଭଲଭାବେ ପ୍ରସ୍ତୁତ କରିପାରିବେ। ଏଠାରେ ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ପ୍ରାରମ୍ଭରେ ସେ ଏମ୍‌ଆର୍‌ଏଫ ପେସ୍‌ ଫାଉଣ୍ଡେଶନ କ୍ୟାମ୍ପରେ ମଧ୍ୟ ସାମିଲ ହୋଇଥିଲେ। ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ସଞ୍ଜୟ ବେହେରାଙ୍କ ସମେତ ଅନ୍ୟ ସଦସ୍ୟମାନେ ଆଶୁତୋଷଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି।

Share