Categories: ଜାତୀୟ

ପାଇଲଟଙ୍କୁ ଟାର୍ଗେଟ କଲେ ଗେହଲୋଟ

ଜୟପୁର,୨ ।୧୦: ରାଜସ୍ଥାନ ରାଜନୀତି ଏବେ ବେଶ ସରଗରମ ରହିଛି । କୁହାଯାଉଛି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ଟଣାଭିଡାର ସମାଧାନ ଖୁବଶୀଘ୍ର ହେବ । ସମସ୍ତଙ୍କ ନଜର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟଙ୍କ ଉପରେ । ଗେହଲୋଟ ତାଙ୍କ ଆସନ ବଞ୍ଚାଇ ପାରୁଛନ୍ତି ନା ସଚ୍ଚିନ ପାଇଲଟ ବାଜି ମାରି ନେଉଛନ୍ତି ତାକୁ ସମସ୍ତଙ୍କ ଅପେକ୍ଷା ରହିଛି । ସୂଚନାଯୋଗ୍ୟ, ରବିବାର ଅଶୋକ ଗେହଲୋଟ ଜୟପୁରରେ ଗାନ୍ଧୀ ସର୍କଲରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମାରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ସମୟରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ କିଛି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପୁଣିଥରେ ସଚ୍ଚିନ ପାଇଲଟ ଗ୍ରୁପକୁ ଟାର୍ଗେଟ କରିଛନ୍ତି । ଏହି ଗ୍ରୁପ ଭାରତୀୟ ଜନତା ପାର୍ଟି(ଭାଜପା) ସହ ସମ୍ପର୍କରେ ରହିଥିବା ସେ ପୁଣି ଦୋହରାଇଛନ୍ତି ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି ଅନ୍ୟକୁ ନେତା ବୋଲି ସ୍ୱୀକାର କରିବା ଅପେକ୍ଷା ବିଧାୟକମାନେ ଇସ୍ତଫା ଦେବା ଶ୍ରେୟ ମନେକଲେ । ସମସ୍ତେ ଜାଣିଛନ୍ତି କେତେଜଣ ନେତା ଭାଜପା ବିଧାୟକଙ୍କ ସହ ବସିଥିଲେ । ଭାଜପା ସରକାର ଭାଙ୍ଗିବାକୁ ଚାହୁଁଛି । ତେଣୁ ଭାଜପା ସହ ବସିଥିବା ନେତାଙ୍କୁ ଆମେ ସ୍ୱୀକାର କରିପାରିବୁ ନାହିଁ ବୋଲି ସେ ପାଇଲଟଙ୍କୁ ଟାର୍ଗେଟ କରି କହିଛନ୍ତି ।

Share